ଜୋତା ଆଣିବା ପାଇଁ ରେଳ ଧାରଣାରେ ଫସିଗଲେ, ହଠାତ୍‌ ମାଡ଼ି ଆସିଲା ଟ୍ରେନ୍, ତା’ପରେ…‌

ମୁମ୍ବାଇ: କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୬୦ ବର୍ଷୀୟ ବ୍ୟକ୍ତି। ଶୁକ୍ରବାର ମୁମ୍ବାଇ ଦହିଶର ରେଲ୍‌ୱ ଷ୍ଟେସନ୍‌ରେ ଏଭଳି ଛାତି ଥରାଇ ଦେଲାଭଳି ଦୃଶ୍ୟ ଦେଖିବାକୁ ମିଳିଛି। ୧୫ ସେକେଣ୍ଡର ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

ରେଳ ଲାଇନ୍ ପାର୍ ହେଉଥିବା ସମୟରେ ଏକ ନିଶ୍ଚିତ ଦୁର୍ଘଟଣାରୁ ଜଣେ ବ୍ୟକ୍ତି ଅଳ୍ପକେ ରକ୍ଷା ପାଇଛନ୍ତି। ଷ୍ଟେସନର ଗୋଟେ ପ୍ଲାଟଫର୍ମରୁ ଅନ୍ୟ ଏକ ପ୍ଲାଟଫର୍ମକୁ ଯିବା ପାଇଁ ସମ୍ପୃକ୍ତ ବ୍ୟକ୍ତି ରେଳ ଧାରଣା ପାର୍‌ ହେଉଥିବା ବେଳେ ରେଳ ଧାରଣା ଉପରେ ତାଙ୍କର ଜୋତା ହଠାତ୍‌ ଖସି ଯାଇଥିଲା। ଏହାକୁ ସେ ଉଠାଇଥିଲେ ଏବଂ ରେଳ ଧାରଣା ଉପରେ ହିଁ ଏହାକୁ ପିନ୍ଧିବାକୁ ଚେଷ୍ଟା କରିଥିଲେ।

ଜୋତା ପିନ୍ଧି ସାରି ବ୍ୟକ୍ତି ଜଣକ ପୁଣି ରେଳ ଧାରଣା ପାର୍‌ ହୋଇ ପ୍ଲାଟ୍‌ଫର୍ମକୁ ଉଠିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ପ୍ଲାଟଫର୍ମ ଉପରେ ଠିଆ ହୋଇଥିବା ଜଣେ କନଷ୍ଟେବଲ ତାଙ୍କୁ ଆସିବାକୁ ବାରଣ କରିଥିଲେ ଏବଂ ତାଙ୍କୁ ରେଲ୍‌ୱେ ଟ୍ରାକ୍‌ର ଅନ୍ୟ ପଟେ ଛିଡ଼ା ହେବା ପାଇଁ କହିଥିଲେ। କାରଣ ଏହି ସମୟରେ ଏକ ଟ୍ରେନ୍‌ ଅତିକ୍ରମ କରିବାର ଥିଲା। ହେଲେ ଉକ୍ତ ବ୍ୟକ୍ତି କନଷ୍ଟେବଲଙ୍କ କଥାକୁ ଧ୍ୟାନ ନଦେଇ ପ୍ଲାଟ୍‌ଫର୍ମ ଉପରକୁ ଉଠିବା ପାଇଁ ପ୍ରୟାସ କରୁଥିବା ବେଳେ ଟ୍ରେନ୍‌ଟି ନିକଟତର ହୋଇଥିଲା।  ଟ୍ରେନ୍‌ ଯେତେ ପାଖେଇ ଆସୁଥାଏ, ମୃତ୍ୟୁର ନିକଟତର ହେଉଥିଲେ ବ୍ୟକ୍ତି ଜଣକ। ସୌଭାଗ୍ୟବଶତଃ, କନେଷ୍ଟବଲ୍‌ ତାଙ୍କୁ ବଞ୍ଚାଇ ଦେଇଥିଲେ। ଟ୍ରେନ୍‌ଟି ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟତର ହେଉଥିବା ଦେଖି କନେଷ୍ଟବଲ୍‌ ଉକ୍ତ ବ୍ୟକ୍ତିଙ୍କ ହାତକୁ ଧରି ରେଲ୍‌ୱେ ଟ୍ରାକ୍‌ରୁ ଉପରକୁ ଉଠାଇ ଆଣିଥିଲେ। ତେବେ ବ୍ୟକ୍ତିଙ୍କ ଏଭଳି ଦାୟିତ୍ୱହୀନତା ପାଇଁ କନେଷ୍ଟବଲ୍ ତାଙ୍କୁ ଚାପୁଡ଼ାଟିଏ ମାରିଥିଲେ। ଯାହାର ଦୃଶ୍ୟ CCTVରେ କଏଦ ହୋଇଛି।

ସୂଚନାଥାଉ କି, ଗତବର୍ଷ ଡିସେମ୍ବର ୨୭ରେ ଇରାନି ନାମକ ଜଣେ ବ୍ୟକ୍ତିଙ୍କୁ ମହିଳା ଯବାନ ଲତା ଭୋସ୍‌ଲେ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚାଇ ଦେଇଥିଲେ। ସୂଚନା ଅନୁସାରେ, ମୁମ୍ବାଇ ଗ୍ରାଣ୍ଟ୍‌ ରୋଡ୍‌ ରେଲ୍‌ୱେ ଷ୍ଟେସନର ରେଲ୍‌ୱେ ଟ୍ରାକ୍‌ରେ ହଠାତ୍ ମୁଣ୍ଡ ବୁଲାଇବା ଫଳରେ ଇରାନି ‌ତଳେ ପଡ଼ି ଯାଇଥିଲେ। ଏହି ସମୟରେ ସେଇ ଟ୍ରାକ୍‌ରେ ଏକ ଟ୍ରେନ୍‌ ଆସୁଥିବା ଦେଖି ଲତା ଟ୍ରାକ୍‌କୁ ଡେଇଁ ଟ୍ରେନ୍‌ ଅଟକାଇବା ପାଇଁ ମୋଟରମ୍ୟାନ୍‌ଙ୍କୁ ସିଗ୍ନାଲ୍‌ ଦେଇଥିଲେ ଓ ସଙ୍ଗେ ସଙ୍ଗେ ଟ୍ରେନ୍‌ଟି ଅଟକି ଯାଇଥିଲା। ମହିଳା ଯବାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଇରାନିଙ୍କ ଜୀବନ ବଞ୍ଚି ଯାଇଥିଲା।

You might also like