ଦେଶ ସାରା ବୁଲି ଜୁଏଲରୀ ଦୋକାନ ଲୁଟୁଥିଲେ ଗୋଟିଏ ପରିବାର, ଗୁମର ଖୋଲିଲା ପୋଲିସ

ମୁମ୍ବାଇ: ସାରା ଦେଶ ଏମାନେ ବୁଲୁଥିଲେ। ଯେଉଁଠି ଜୁଏଲରୀ ଦୋକାନ ଦେଖନ୍ତି ସେଠାକୁ ଯାଆନ୍ତି। କାର୍‌ରୁ ଓହ୍ଲାଇ ଯେତେବେଳେ ବଡ ବଡ ଗହଣା ଦୋକାନକୁ ଯାଆନ୍ତି, ଦୋକାନ କର୍ମଚାରୀ ତାଙ୍କୁ ସସମ୍ମାନେ ପାଛୋଟି ନିଅନ୍ତି। ସୁନା ଗହଣା କିଣିବା ଉଦ୍ଦେଶ୍ୟରେ ଗହଣ ଦେଖନ୍ତି । ଆଉ ଭିଡ଼ ଭିତରେ ସୁଯୋଗ ଦେଖି ଗହଣା ଲୁଟନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଏ ସମସ୍ତେ ଗୋଟିଏ ପରିବାରର। ଏମିତି ଏକ ଲୁଟେରା ପରିବାରକୁ ଧରିଛି ମହାରାଷ୍ଟ୍ର ପୋଲିସ।

ମୁମ୍ବାଇର ମଲାଡ ଅଞ୍ଚଳର ଏମିତି ଏକ ପରିବାରକୁ ପୋଲିସ ଧରିଛି ଯେଉଁମାନେ କେବଳ ଗହଣା ଦୋକାନକୁ ଯାଇ ଚୋରି କରୁଥିଲେ। ଏହି ଚୋରି ଧନ୍ଦାରେ ପୂରା ପରିବାର ସାମିଲ ଥିଲେ। ଗିରଫ ପରେ ଏହି ପରିବାର ସ୍ୱୀକାର କରିଛନ୍ତି ଯେ, କେବଳ ମୁମ୍ବାଇ ନୁହେଁ ଦେଶ ସାରା ବୁଲି ବୁଲି ଗହଣା ଦୋକାନରୁ ଚୋରି କରୁଥିଲେ। ମହରାଷ୍ଟ୍ର ଏକାଧିକ ସହରର ସମେତ ତେଲଙ୍ଗାନା ଓ ଅନ୍ୟାନ୍ୟ ରାଜ୍ୟର ଗହଣା ଦୋକାନରୁ ଏମାନେ ଲୁଟୁଥିଲେ।

ଚୋରି ଅଭିଯୋଗରେ ପରିବାର  ୬ ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି। ଅନ୍ୟ ତିନି ଜଣ ଫେରାର ହୋଇ ଯାଇଛନ୍ତି। ଜାନୁଆରୀ ୧୩ ତାରିଖ କୁରାର ଥାନା ଅନ୍ତର୍ଗତ ମୟୂର ଜୁଏଲର୍ସ ନାମକ ଏକ ଦୋକାନରୁ ପରିବାରର ଜଣେ ସଦସ୍ୟ ୧୦ ତୋଳା ସୁନା ଚୋରି କରିଥିଲା।

ଦୋକାନ ମାଲିକ ପୋଲିସକୁ ଏ ନେଇ ଅଭିଯୋଗ କରିଥିଲେ। ଅଭିଯୋଗରେ ଦର୍ଶାଇଥିଲେ ଯେ, ମଧ୍ୟାହ୍ନ ପ୍ରାୟ ୨ଟାରେ ଏକ ଟ୍ୟାକ୍ସିରେ କିଛି ଲୋକ ଦୋକାନକୁ ଆସିଥିଲେ। ତିନି ଜଣ ଲୋକ ସୁନା ଗହଣା ଦେଖିବା ପରେ ଚାଲି ଯାଇଥିଲେ। ସେମାନେ ଯିବା ପରେ ୧୦ ତୋଳା ସୁନା ଚୋରି ହୋଇଯାଇଥିବା ଜଣା ପଡ଼ିଥିଲା। ଦୋକାନରେ ଲାଗିଥିବା ସିସିଟିଭିରେ ଚୋରି ଘଟଣାର ରେକର୍ଡ ଥିଲା।

ଏହାକୁ ଆଧାର କରି ବରିଷ୍ଠ ପୋଲିସ ନିରୀକ୍ଷକ ପ୍ରକାଶ ବେଲେ ତଦନ୍ତ କରିଥିଲେ। ତଦନ୍ତ ପରେ ଅଭିଯୁକ୍ତ ପୁଣେରେ ରହିଥିବା ଜାଣିବାକୁ ପାଇଥିଲେ। ପରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ରେଖା ହେମରାଜ ବାଣୀ (୪୫), ଅକ୍ଷୟ ହେମରାଜ ବାଣୀ (୧୯), ଶେଖର ହେମରାଜ ବାଣୀ (୨୮), ରେଣୁକା ଶେଖର ବାଣୀ (୨୩),  ନରେନ୍ଦ୍ର ଅଶୋକ ସାଲୁଖେଁ (୩୫) ସହିତ କୁର୍ଲାର ଜଣେ ଟାକ୍ସି ଡ୍ରାଇଭର ଆଶୁତୋଷ ମିଶ୍ରା। ପୋଲିସ ସେମାନଙ୍କୁ ଶନିବାର ଗିରଫ କରିଛି।

ବରିଷ୍ଠ ପୋଲିସ ଅଧିକାରୀ ପ୍ରକାଶ ବେଲେଙ୍କ କହିବା ଅନୁଯାୟୀ, ମୁମ୍ବାଇ ସମେତ ମହରାଷ୍ଟ୍ରର ବିଭିନ୍ନ ପୋଲିସ ଷ୍ଟେଶନରେ ୫୦ରୁ ଅଧିକ ଚୋରି ମାମଲା ଦାଏର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଗୋଟିଏ ପରିବାରର ୬ ଲୋକଙ୍କୁ ଚୋରି ମାମଲାରେ ଗିରଫ କରାଯାଇ ସାରିଛି। ଅଭିଯୁକ୍ତଙ୍କ ପାଖରୁ ୧ ଲକ୍ଷ ୯୦ ହଜାର ଟଙ୍କାର ସୁନା ଜବତ କରାଯାଇଛି। ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଛି।

You might also like