ଭାରତରୁ CBI-ED-CRPF ଅଧିକାରୀଙ୍କୁ ନେଇ ଡୋମିନିକା ଯାଇଛି ସ୍ୱତନ୍ତ୍ର ବିମାନ, ଫେରିବେ ଚୋକସି

ନୂଆଦିଲ୍ଲୀ: ପିଏନବି ସ୍କାମରେ ଜଡ଼ିତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ଆଣ୍ଟିଗୁଆ ଯାଇଛି ସ୍ୱତନ୍ତ୍ର ଟିମ । ଏଥିରେ ସିବିଆଇ, ଇଡି ଓ ସିଆରପିଏଫ୍ ଅଧିକାରୀ ରହିଛନ୍ତି । ଏକ ସ୍ୱତନ୍ତ୍ର ବିମାନରେ ଏହି ଟିମ୍ ଡୋମିନିକା ରିପବ୍ଲିକରେ ପହଞ୍ଚିଛି । ଟିମର ନେତୃତ୍ୱ ନେଉଛନ୍ତି ସିବିଆଇର ଜଣେ ଡିଆଇଜି ସ୍ତରୀୟ ଅଧିକାରୀ । ଡୋମିନିକାରୁ ଫେରାର ହେବା ଘଟଣା ଯଦି ପ୍ରମାଣିତ ହୁଏ, ତେବେ ମେହୁଲ ଚୋକସିଙ୍କୁ ଭାରତକୁ ହସ୍ତାନ୍ତର କରାଯାଇପାରିବ । ମେହୁଲ ଚୋକସିଙ୍କ ଆଣ୍ଟିଗୁଆ ନାଗରିତା ମଧ୍ୟ ରଦ୍ଦ ହେବ ବୋଲି ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆଜି ଡୋମିନିକାର ଉଚ୍ଚତମ କୋର୍ଟରେ ମେହୁଲ ଚୋକସିଙ୍କୁ ହାଜର କରାଯିବ । ଭାରତକୁ ପ୍ରତ୍ୟର୍ପଣ ପାଇଁ ଅନୁମତି ମିଳିଲେ ତାଙ୍କୁ ସେଠାରୁ ଭାରତକୁ ଅଣାଯାଇପାରିବ । ୧୩ ହଜାର କୋଟି ଟଙ୍କା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲା ମାମଲାରେ ମେହୁଲ ଚୋକସି ତାଙ୍କ ଭଣଜା ନୀରବ ମୋଦି ସହ ନିଜେ ୬ ହଜାର କୋଟିରୁ ଅଧିକ ଟଙ୍କା ହେରଫେର କରିଥିବା ଅଭିଯୋଗ ରହିଛି ।

୨୦୧୭ରେ ସେ ପୁଞ୍ଜିନିବେଶ ଆଧାରରେ ଆଣ୍ଟିଗୁଆ ଓ ବରମୁଡାର ନାଗରିକତ୍ୱ ଗ୍ରହଣ କରିଥିଲେ । ତେବେ ପିଏନବି ସ୍କାମ ପଦାକୁ ଆସିବା ପରେ ୨୦୧୮ରେ ସେ ଲୁଚିକି ଆଣ୍ଟିଗୁଆ ପଳାଇଥିଲେ । ତାଙ୍କୁ ଭାରତ ଆଣିବା ପାଇଁ କେନ୍ଦ୍ର ସରକାର ସେବେଠାରୁ ଉଦ୍ୟମ ଜାରି ରଖିଥିଲେ ।

ସୂଚନାଯୋଗ୍ୟ, ଭାରତରୁ ପ୍ରାୟ ୧୩ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟାଙ୍କ ଋଣ ନେଇ ଫେରାର ଥିବା ହୀରା ବେପାରୀ ମେହୁଲ ଚୋକସି ଏବେ ଡୋମିନିକା ପୋଲିସ ହେଫାଜତରେ ରହିଛନ୍ତି । ଦୀର୍ଘ ଦିନ ଧରି ସେ ଆଣ୍ଟିଗୁଆ ଦ୍ୱୀପରେ ନାଗରିକତା ନେଇ ରହି ଆସୁଥିଲେ । କିନ୍ତୁ କିଛି ଦିନ ହେବ ସେ ନିଜ ଗର୍ଲଫ୍ରେଣ୍ଡ ଚକ୍କରରେ ପଡ଼ି ଆଣ୍ଟିଗୁଆରୁ ବାହାରି ଡୋମିନିକାରେ ଟାଇମ ପାସ କରୁଥିଲେ । ସୂଚନାରହିଛି ଯେ, ମେହୁଲ ଚୋକସି ଗର୍ଲଫ୍ରଣ୍ଡ ସହ ରୋମାଣ୍ଟିକ୍ ଡିନର ଡେଟ୍ ପାଇଁ ଡୋମିନିକା ଯାଇଥିଲେ । ଯାହା କି ଆଣ୍ଟିଗୁଆ ପାଖରେ ରହିଛି ।  ଆଉ ସେଠାରେ ହିଁ ତାଙ୍କୁ ପୋଲିସ ଗିରଫ କରିଛି ।

ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗେଷ୍ଟନ୍ ବ୍ରାଉନେ ମଧ୍ୟ ମେହୁଲ ଚୋକସିଙ୍କ ଗର୍ଲଫ୍ରେଣ୍ଡ ବିଷୟରେ ପୂର୍ବରୁ ଉଲ୍ଲେଖ କରିସାରିଛନ୍ତି । ସେ କହିଥିଲେ ଯେ, ବୋଧ ହୁଏ ମେହୁଲ ଚୋକସି ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଡୋମିନିକା ଦ୍ୱୀପକୁ ରୋମାଣ୍ଟିକ ରାତ୍ରୀ ଭୋଜନ କରିବାକୁ କିମ୍ବା ବୁଲାବୁଲି କରିବାକୁ ଯାଇଥିଲେ ।

ଆଣ୍ଟିଗୁଆର ଗଣମାଧ୍ୟମ ମେହୁଲ ଚୋକସିଙ୍କ ଓକିଲଙ୍କଠାରୁ ସୂଚନା ପାଇଛନ୍ତି ଯେ, ଚୋକସି ତାଙ୍କ ମହିଳା ବନ୍ଧୁଙ୍କୁ ଭେଟିବାକୁ ଯାଇଥିବା ବେଳେ ତାଙ୍କୁ ଅପହରଣ କରିନିଆଯାଇଛି । କୁହାଯାଉଛି ଯେ, ଗତ ୨୩ ମେ’ରେ ସେ ମହିଳା ବନ୍ଧୁଙ୍କ ସହ ରାତ୍ରୀ ଭୋଜନ କରିବାକୁ ଯାଉଥିଲେ । କିନ୍ତୁ ରେଷ୍ଟୁରାଣ୍ଟରେ ପହଞ୍ଚିବା ପୂର୍ବରୁ ତାଙ୍କୁ ଅପହରଣ କରି ନିଆଯାଇଛି ।

ଦାବି ହେଉଛି ଯେ, ଚୋକସି ବାରବାରା ନାମକ ଜଣେ ମହିଳାଙ୍କ ସହ ପ୍ରାୟ ଏକ ବର୍ଷ ଧରି ସମ୍ପର୍କରେ ଥିଲେ । ଏହା ପୂର୍ବରୁ ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗେଷ୍ଟନ୍ ବ୍ରାଉନେ ମଧ୍ୟ ଚୋକସିଙ୍କର ଜଣେ ମହିଳାଙ୍କ ସହ ସମ୍ପର୍କ ଥିବା କଥା କହିଥିଲେ ।

ଭାରତରୁ ଏକ ସ୍ୱତନ୍ତ୍ର ବିମାନ ଡୋମିନିକାକୁ ପଠାଯାଇଛି । ଯେଉଁଥିରେ ମେହୁଲ ଚୋକସିଙ୍କ ବିରୋଧରେ ବିଭିନ୍ନ ମାମଲାର ଦସ୍ତାବିଜ୍ ତଥା ଜରୁରୀ କାଗଜପତ୍ରଠାରୁ ଆରମ୍ଭ କରି ଅନେକ ପ୍ରମାଣ ମଧ୍ୟ ରହିଛି । ଏମିତିକି କୋର୍ଟ ଶୁଣାଣି କରିଥିବା କଗଜପତ୍ର ଠାରୁ ଆରମ୍ଭ କରି କୋର୍ଟଙ୍କ ଆଦେଶ ରିପୋର୍ଟର ନକଲ ମଧ୍ୟ ସାଥିରେ ନିଆଯାଇଛି । ଏହି ଦଲିଲ, ତଥ୍ୟ ଏବଂ ପ୍ରମାଣପତ୍ର ଆଧାରରେ ମେହୁଲ ଚୋକସିଙ୍କୁ ଭାରତକୁ ଆଣିବାକୁ ଚେଷ୍ଟା କରାଯିବ ।

ସୂଚନାନୁସାରେ, କତାର ଏୟାରୱେଜର ଏକ ସ୍ୱତନ୍ତ୍ର ବିମାନକୁ ଭାରତ ସରକାର ଭଡ଼ାସୂତ୍ରରେ ନେଇଛନ୍ତି । ଯାହାର ଭଡା ଭାରତରୁ ଡୋମିନିକା ଦ୍ୱୀପରେ ପହଞ୍ଚିବା ପାଇଁ ଗୋଟିଏ ପାର୍ଶ୍ୱରୁ କୋଟି ଟଙ୍କାରୁ ଅଧିକ । ସୂଚନାନୁସାରେ, ଏହି ବିମାନର ଭଡା ଘଣ୍ଟା ପ୍ରତି ପାଞ୍ଚ ଲକ୍ଷ ଟଙ୍କା ସ୍ଥିର କରାଯାଇଛି । ଭାରତରୁ ଡୋମିନିକା ଦ୍ୱୀପରେ ପହଞ୍ଚିବାକୁ ପ୍ରାୟ ୧୬ ଘଣ୍ଟାର ସମୟ ଲାଗିଥାଏ । ଏହି ଅନୁଯାୟୀ, ଗୋଟିଏ ପଟୁ ଯିବା ପାଇଁ କେବଳ ୮୦ ଲକ୍ଷ ଟଙ୍କା ବ୍ୟୟ ଆକଳନ କରାଯାଉଛି । ଏହା ସହିତ, ଯଦି ଅନ୍ୟାନ୍ୟ ଖର୍ଚ୍ଚ ଯୋଗ କରାଯାଏ, ତେବେ ଏହାର ଭଡା ଏକ କୋଟିରୁ ଅଧିକ ହେବ ।

You might also like