ଦେଶରେ କରୋନା ବିସ୍ଫୋରଣ : ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ  ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶରେ ବଢୁଥିବା କରୋନା ସଂକ୍ରମଣ ସ୍ଥିତିର ମୁକାବିଲା ପାଇଁ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ । କୋଭିଡ ସ୍ଥିତି ନେଇ ଗତକାଲି ସମୀକ୍ଷା ବେଳେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୋଦି । ରୋଗୀଙ୍କ ପାଇଁ ଔଷଧ, ଅକ୍ସିଜେନ୍‌, ଭେଣ୍ଟିଲେଟର ଏବଂ ଟିକାକରଣ ଉପରେ ଗୁରୁତ୍ୱ ଦେଇ ସମୀକ୍ଷା ବୈଠକ ବସିଥିଲା । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନକୁ ଅଧିକ ସକ୍ରିୟ ଏବଂ ସମ୍ବେଦନଶୀଳ ହେବାକୁ ପଡ଼ିବ, ଯାହାଦ୍ୱାରା ମହାମାରୀକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ମୋଦି କହିଛନ୍ତି ।

ସେହିପରି କୋଭିଡ ହସ୍ପିଟାଲରେ ରୋଗୀଙ୍କ ପାଇଁ ଆବଶ୍ୟକ ବେଡ ସଂଖ୍ୟା ବୃଦ୍ଧି ପାଇଁ ସମସ୍ତ ପଦକ୍ଷେପ ନେବା ପାଇଁ ମଧ୍ୟ ମୋଦି କହିଛନ୍ତି । କରୋନା ପାଇଁ ରେମଡେସିଭିର ଓ ଅନ୍ୟାନ୍ୟ ମେଡିସିନର ଉପଲବ୍ଧତା ନେଇ ମଧ୍ୟ ସ୍ଥିତିର ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ । ଟିକା ଉତ୍ପାଦନ ବୃଦ୍ଧି ଉପରେ ମଧ୍ୟ ମୋଦି ଗୁରୁତ୍ୱ ଦେଇଥିଲେ  । ଟେଷ୍ଟିଂ, ଟ୍ରାକିଂ  ଓ ଟ୍ରିଟମେଣ୍ଟ ଦ୍ୱାରା ହିଁ କରୋନା ନିୟନ୍ତ୍ରଣକୁ ଆସିପାରିବ ବୋଲି ମୋଦି କହିଛନ୍ତି । ସ୍ୱାସ୍ଥ୍ୟ ଓ ଅନ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଓ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ସହ ମୋଦି ଆଲୋଚନା କରିଥିଲେ ।

ସେପଟେ AIIMS ହସ୍ପିଟାଲ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କରୋନାର ଦ୍ୱିତୀୟ ଲହର ଏତେ ଶୀଘ୍ର ବ୍ୟାପିବାର ଅନେକ କାରଣ ଦର୍ଶାଇଛନ୍ତି।  ଦୁଇଟି ପ୍ରମୁଖ କାରଣକୁ ସେ ସ୍ପଷ୍ଟ ଭାବେ ବୁଝାଇଛନ୍ତି । ପ୍ରଥମଟି ହେଉଛି ଜାନୁଆରୀ ଏବଂ ଫେବୃଆରୀରେ ଟୀକାକରଣ ଆରମ୍ଭ ହେବା ପରେ ସଂକ୍ରମଣ ମାମଲା କମିବାରେ ଲାଗିଲା। ଏଥିପାଇଁ ସାଧାରଣ ଲୋକଙ୍କଠାରୁ ବଡ଼ ବଡ଼ିଆ ପର୍ଯ୍ୟନ୍ତ କେହି ଆଉ କରୋନା ଗାଇଡଲାଇନକୁ ଖାତିର କଲେ ନାହିଁ। ଯାହାଫଳରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପି ଚାଲିଲା। ଆଉ ତାହା ହିଁ ଥିଲା ଟର୍ଣ୍ଣିଂ ପଏଣ୍ଟ, ଯେତେବେଳେ କରୋନା ଭୂତାଣୁରେ ପରିବର୍ତ୍ତନ ଆସିଥିଲା ଏବଂ ତାହା ଅଧିକ ସଂକ୍ରାମକ ପାଲଟିଗଲା।

ସେ ଆହୁରି କହିଛନ୍ତି, ଏହି ସମୟରେ ଦେଶରେ ଅନେକ ଧାର୍ମିକ କାର୍ଯ୍ୟକଳାପ ଚାଲିଛି। ଏମିତିକି ବିଧାନସଭା ନିର୍ବାଚନ ମଧ୍ୟ ଚାଲିଛି। ଆଉ ସାଧାରଣ ଲୋକ ଏକାଠି ହେଉଛନ୍ତି। ଲୋକଙ୍କୁ ଏହି କଥା ବୁଝିବାକୁ ହେବ ଯେ, ମଣିଷ ଜୀବନ ହେଉଛି ବହୁ ମୂଲ୍ୟବାନ। ତେଣୁ ଯାହା ସବୁ ପରମ୍ପରା ତଥା କାର୍ଯ୍ୟକଳାପ ରହିଛି ସେସବୁକୁ ଏକ ସୀମା ଭିତରେ ରହି କରିବାକୁ ହେବ। କାରଣ ଏହା ଆମ ପାଇଁ କରିବା ସହଜ ହେବ। କିନ୍ତୁ ଥରେ ସଂକ୍ରମିତ ହେଲେ ଆମେ ଆଜାଣତରେ ଅନ୍ୟ ମାନଙ୍କୁ ବିପଦରେ ପକାଇବା। ତେଣୁ କୋଭିଡ ଗାଇଡଲାନ ମାନି ଲୋକ ନିଜର କାର୍ଯ୍ୟ ସମ୍ପାଦନ କରନ୍ତୁ ବୋଲି କହିଛନ୍ତି।

You might also like