କରୋନା ବିରୋଧରେ ଲକ୍‌ଡାଉନ୍ ଅନ୍‌-ଅଫ୍‌ ସ୍ୱିଚ୍ ନୁହେଁ: ରାହୁଲ୍‌ ଗାନ୍ଧି

ନୂଆଦିଲ୍ଲୀ: କରୋନା ବିରୋଧରେ ଲକ୍‌ଡାଉନ୍ ଅନ୍‌-ଅଫ୍‌ ସ୍ୱିଚ୍ ନୁହେଁ। ଏହା ବିରୋଧରେ ଲଢ଼ିବାକୁ ହେଲେ ଅନ୍ୟ ଉପାୟ ଖୋଜିବାକୁ ହେବ। ଏନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ନେଇ କାମ କରିବାକୁ ହେବ। ଆଜି ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଏଭଳି ମତ ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି।

ଲକ୍‌ଡାଉନ୍ ଦ୍ୱାରା କରୋନା ବନ୍ଦ ହେବନି। ମାତ୍ର କିଛି ସମୟ ପାଇଁ ଏଥିରେ ବ୍ରେକ୍ ଲାଗିବ। ଏହା ଉଠିବା ପରେ ପୁଣି ଥରେ ଆରମ୍ଭ ହୋଇପାରେ। ତେଣୁ ଲକ୍‌ଡାଉନ୍ ସମୟ ମଧ୍ୟରେ ହିଁ ଏଥିପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ।

ମୁଖ୍ୟତଃ ଗରିବଙ୍କୁ ଅଧିକରୁ ଅଧିକ ଅର୍ଥ ପ୍ରଦାନ କରିବାକୁ ପଡ଼ିବ। ଚାଷୀ, କ୍ଷୁଦ୍ର ବ୍ୟବସାୟୀ ଏବଂ ଶିଳ୍ପକୁ ଏହି ମଧ୍ୟରେ ଅର୍ଥ ପ୍ରଦାନ କରି ଏହାକୁ ଶକ୍ତିଶାଳୀ କରିବାକୁ ହେବ। ଯାହାଦ୍ୱାରା ଏହି ମହା ବିପତ୍ତି ବେଳେ ସବୁ ବର୍ଗର ଲୋକେ ଏକଜୁଟ୍ ହୋଇ ଲଢ଼ିପାରିବେ। ଏ ବାବଦରେ ପ୍ରାୟ ୬୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ରାହୁଲ ଆକଳନ କରିଛନ୍ତି।

ସେପଟେ ଲକ୍‌ଡାଉନ୍ ନିୟମକୁ ଲାଗୁ କରାଯାଉଥିବା ପ୍ରକ୍ରିୟାକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ରାହୁଲ। ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ବେଳେ ୩ଟି ଜୋନ୍ ନିର୍ଣ୍ଣୟ କରାଯାଇଥିଲା। ହେଲେ ଏନେଇ କେନ୍ଦ୍ର ସରକାର ରାଜ୍ୟ ସହ ପରାମର୍ଶ କରିନଥିବାରୁ ସମସ୍ୟା ଦେଖା ଦେଉଛି ବୋଲି ସେ କହିଛନ୍ତି।

You might also like