୨୨ ବର୍ଷ ତଳର ସ୍ମୃତିକୁ ମନେ ପକାଇ ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୨୨ ବର୍ଷ ତଳର ସ୍ମୃତିକୁ ମନେ ପକାଇ ଭାବପ୍ରବଣ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅତୀତର ଏଇ ଐତିହାସିକ ଉପଲବ୍ଧିର ସ୍ମୃତି ରୋମନ୍ଥନ କରି ସେଇ ବୈଜ୍ଞାନିକ, ରାଜନୈତିକ ନେତୃତ୍ୱକୁ ସଲାମ ଜଣାଇ ଟ୍ୱିଟ କରିଛନ୍ତି।

ଆଜି ପ୍ରତିଟି ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ୧୯୯୮ ଆଜିର ଦିନରେ ରାଜସ୍ଥାନର ପୋଖରାନରେ ୫୮ କିଲୋର ପରମାଣୁ ପରୀକ୍ଷଣ କରି ଇତିହାସ ରଚିଥିଲା ଭାରତ।  ପରମାଣୁ ଅସ୍ତ୍ର ପରୀକ୍ଷଣ କରି ଏଥିରେ ସଫଳ ହୋଇ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରଙ୍କ ସମକକ୍ଷ ହୋଇଥିଲା ଦେଶ ।

ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ଏରୋସ୍ପେସ୍ ଇଞ୍ଜିନିୟର ତଥା ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ୍ କାଲାମଙ୍କ ଉଦ୍ୟମରେ ଏହା ସମ୍ଭବ ହୋଇଥିଲା । ଏହାଦ୍ୱାରା ଭାରତ ଆଣବିକ ଶକ୍ତି କ୍ଷେତ୍ରରେ ଆମେରିକା, ରୁଷିଆ, ଫ୍ରାନ୍ସ, ବ୍ରିଟେନ୍ ଏବଂ ଚାଇନାର ସମକ୍ଷକ ହୋଇପାରିଥିଲା।  ଆମେରିକାର ଗୁଇନ୍ଦାଗିରିକୁ ଚକମା ଦେଇ ସଫଳତାର ଏହି ସ୍ୱାଦ ଚାଖିଥିଲା ଭାରତ ଯାହା ଦେଶର ବୈଷୟିକ ବିପ୍ଳବ ପାଇଁ ପଥ ପ୍ରସ୍ତୁତ କରିଥିଲା।

ଏହି ଗୌରବକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ଆଜିର ଦିନକୁ ନ୍ୟାସନାଲ ଟେକ୍ନୋଲଜି ଡେ ଭାବେ ପାଳନ କରାଯାଉଛି । ‘ନ୍ୟାସନାଲ ଟେକ୍ନୋଲଜି ଡେ’ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଦେଶର ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି କହିଛନ୍ତି ‘ଟେକ୍‌ନିକ୍‌ ଦ୍ୱାରା ଅନ୍ୟ ଜୀବନରେ ଏକ ସକାରାତ୍ମକ ପରିବର୍ତ୍ତନ ଯେଉଁମାନେ ଆଣିପାରିଛନ୍ତି ସେମାନଙ୍କୁ ଆମେ ଆଜି ନାଶନାଲ ଟେକ୍ନୋଲଜି ଡେ’ ସଲାମ କରୁଛୁ  । ୧୯୯୮ର ଆଜିର ଦିନରେ ଆମ ବୈଜ୍ଞାନିକମାନେ ପାଇଥିବା ଅସାଧାରଣ ଉପଲବ୍ଧିକୁ ଆମେ ମନେ ପକଉଛୁ। ଏହା ଭାରତ ପାଇଁ ଏକ ମାଇଲଖୁଣ୍ଟ,ଐତିହାସିକ ମୁହୂର୍ତ୍ତ।’

ଅନ୍ୟଏକ ଟ୍ୱିଟ୍‌ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ରାଜନୀତିକ ନେତୃତ୍ୱକୁ ସଲାମ କରଛନ୍ତି ମୋଦି। ମନ କୀ ବାତ୍‌ କାର୍ଯ୍ୟକ୍ରମ ସହ  ଜଡିତ ଏକ ଭିଡିଓ ଶେୟାର କରି ମୋଦି କହିଛନ୍ତି, ଏକ ମଜବୁତ୍‌ ରାଜନୈତିକ ନେତୃତ୍ୱ କେମିତି ଏତେବଡ ପରିବର୍ତ୍ତନ ଆଣିପାରେ  ୧୯୯୮ରେ ହୋଇଥିବା ପୋଖରାନ୍‌ ପରୀକ୍ଷଣ ତାହା ପ୍ରମାଣିତ କରିଛି। ’

You might also like