ମନ କି ବାତ୍ : ଟିକା ନେବା ସହ ସତର୍କ ରହିବାକୁ ମୋଦିଙ୍କ ପରାମର୍ଶ

ପୁଣି ଦେଲେ”ଦବାଇ ଭି କଡ଼ାଇ ଭି’ ବାର୍ତ୍ତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ ମାଧ୍ୟମରେ ୭୫ ଥର ପାଇଁ ଦେଶକୁ ସମ୍ବୋଧିତ କରିଛନ୍ତି। ଏହାପୂର୍ବରୁ ଫେବୃଆରୀ ୨୮, ୨୦୨୧ରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କ ସହ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମର ୭୫ ଟି ଏପିସୋଡ୍ ଶେଷ ହୋଇଥିବାରୁ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ମନ କି ବାତ କାର୍ଯ୍ୟକ୍ରମ ୨୦୧୪ରେ ବିଜୟଦଶମୀ ଦିନ ଆରମ୍ଭ ହୋଇଥିଲା, ହେଲେ ଏପରି ଲାଗୁଛି ସତେ ଯେପରି ଗତକାଲି ଆରମ୍ଭ ହୋଇଥିଲା।

ଆଜି ମନ କି ବାତ କାର୍ଯ୍ୟକ୍ରମରେ କରୋନା ଯୋଦ୍ଧାଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କରୋନା ବିପକ୍ଷରେ କରୋନା ଯୋଦ୍ଧାଙ୍କ କାମ ବେଶ୍ ପ୍ରଶଂସନୀୟ । ବିଶ୍ରାମ ନକରି, ଅନବରତ ସେବା କରୁଛନ୍ତି କରୋନା ଯୋଦ୍ଧା । ଜନତାଙ୍କ ପାଇଁ ତାଙ୍କ ଅବଦାନ ଅତୁଳନୀୟ । ଦେଶର ପ୍ରତ୍ୟେକ ନାଗରିକଙ୍କ ଜୀବନ ବଞ୍ଚାଇବାକୁ ସେ ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି। ତେବେ ଯୋଦ୍ଧାଙ୍କ ସମ୍ମାନରେ ଥାଳି ବଜାଇବା, ଦୀପ ଲଗାଇବା, ତାଳି ବଜାଇବା ଆଦି ଯୋଦ୍ଧାଙ୍କ ମନକୁ ଛୁଇଁଛି ।

ଗତବର୍ଷର ଜନତା କର୍ଫ୍ୟୁ ସାରା ବିଶ୍ୱକୁ ପ୍ରେରଣା ଯୋଗାଇଥିଲା । ଜନତା କର୍ଫ୍ୟୁ ଅନୁଶାସନର ଅଭୂତପୂର୍ବ ଉଦାହରଣ । ଗତ ବର୍ଷ ମାର୍ଚ୍ଚ ମାସରେ ଦେଶ ପ୍ରଥମ ଥର ପାଇଁ ଜନତା କର୍ଫ୍ୟୁ ଶବ୍ଦ ଶୁଣିଥିଲା। କିନ୍ତୁ ଏହି ମହାନ ଦେଶର ମହାନ ଜନତାଙ୍କ ମହାନ ଶକ୍ତି ପାଇଁ ଏହା ସଫଳ ହୋଇ ପାରିଥିଲା । ଆଗାମୀ ପୀଢ଼ି ପାଇଁ ନିଶ୍ଚିତ ଭାବେ ଏଥିପାଇଁ ଗର୍ବ ଅନୁଭବ କରିବେ।

ମୋଦି ଆହୁରି କହିଛନ୍ତି, ଆଜି ବିଶ୍ୱର ସବୁଠୁ ବଡ଼ ଟିକାକରଣ ଅଭିଯାନ ଭାରତରେ ଚାଲିଛି । ବରିଷ୍ଠ ନାଗରିକମାନେ କୋଭିଡ୍ ଟିକା ନେଉଥିବାରୁ ସନ୍ତୋଷ ପ୍ରକଟ କରିଛନ୍ତି। ଟିକା ନେବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସେହିପରି ସମସ୍ତଙ୍କୁ ଟିକା ନେବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

You might also like