ଅାୟୁଷ୍ମାନ ଭାରତର ଶୁଭାରମ୍ଭ କଲେ ମୋଦି

ଝାଡ଼ଖଣ୍ଡ  : ଶୁଭାରମ୍ଭ ହୋଇଛି ଅାୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଅାରୋଗ୍ୟ ଯୋଜନା। ଝାଡ଼ଖଣ୍ଡ ରାଞ୍ଚିରୁ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଯୋଜନା ମାଧ୍ୟମରେ ଗରିବ ଶ୍ରେଣୀର ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କାର ଚିକିତ୍ସା ବୀମା ସହାୟତା ଦେବାକୁ ବ୍ୟବସ୍ଥା ରହିଛି।

କେନ୍ଦ୍ର ସରକାରଙ୍କ ଏହି ଯୋଜନା ମାଧ୍ୟମରେ ସାରା ଦେଶରେ ପ୍ରାୟ ୧୦ କୋଟି ଗରିବ ପରିବାର  ଉପକୃତ ହେବେ। ଗ୍ରାମାଞ୍ଚଳରେ ୮ କୋଟି ୩ ଲକ୍ଷ ପରିବାର ସମେତ ସହରାଞ୍ଚଳରେ ୨ କୋଟି ୩୩ ଲକ୍ଷ ପରିବାର ଏହି ଯୋଜନା ମାଧ୍ୟମରେ ତାଲିକାଭୁକ୍ତ ସରକାରୀ ଏବଂ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇପାରିବେ।

ପ୍ରାୟ ୫୦ କୋଟି ଲୋକଙ୍କୁ ଏହି ଯୋଜନାର ହିତାଧୀକାରୀ କରାଯିବାର ବ୍ୟବସ୍ଥା ରହିଛି। ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ପରିବାରରୁ ୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟବୀମା ଯୋଗାଇ ଦିଅାଯିବ। ମୁଖ୍ୟତଃ ଗରିବ ଶ୍ରେଣୀର ପରିବାରକୁ ଉନ୍ନତ ସ୍ୱାସ୍ଥ୍ୟସେବା ଲକ୍ଷ୍ୟ ରଖି ସାରା ଦେଶରେ ଏହି ଯୋଜନାର କାର୍ଯ୍ୟକାରୀ କରାଯାଉଛି। ଗତ ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଏହି ଯୋଜନା ନେଇ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ।

ଚଳିତ ମାସ ୨୫ ତାରିଖ ଦୀନ ଦୟାଲ ଉପାଧ୍ୟାୟଙ୍କ ଜନ୍ମଦିନରୁ ଏହି ଯୋଜନା ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହେବ। ଏହି ଯୋଜନାରେ କେନ୍ଦ୍ର ୩ ହଜାର ୫୦୦ କୋଟି ଟଙ୍କା ବଜେଟରେ ବ୍ୟୟବରାଦ କରିଛି। ଓଡ଼ିଶା ସମେତ ତେଲେଙ୍ଗାନା, ଦିଲ୍ଲୀ, କେରଳ, ପଞ୍ଜାବ  ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୋଜନାରେ ସାମିଲ ହୋଇନାହାନ୍ତି।

You might also like