ଚୀନ୍ ଉପରେ ଗର୍ଜିଲେ ମୋଦି, କହିଲେ ‘ଆଉ ଚଳିବନି ବିସ୍ତାରବାଦ’

ନୂଆଦିଲ୍ଲୀ: ଘାଟିରେ ଆଉ ଚଳିବନି ବିସ୍ତାରବାଦ ନୀତି। ଇତିହାସ ଦେଖିଛି ବିସ୍ତାରବାଦ ନୀତିର ଫଳ। ଦୁର୍ବଳମନା କେବେ ବି ଶାନ୍ତି ଚାହାନ୍ତିନି। ଆଜି ଏପରି ଭାବେ ଚୀନକୁ ପରୋକ୍ଷ ଭାବେ ନିଶାନା କରିବା ସହ ଘାଟିରେ ଗର୍ଜିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗଲୱାନ୍ ଘାଟିରେ ଚୀନକୁ ଭାରତୀୟ ସେନା କଡ଼ା ଜବାବ ଦେବା ପରେ ପ୍ରଥମ ଥର ପାଇଁ ନାଁ ନେଇ ଚୀନକୁ ଚେତାଇ ଦେଇଛନ୍ତି ମୋଦି।

ସେନାକୁ ସମ୍ବୋଧନ କରି ମୋହି କହିଛନ୍ତି, ବିଶ୍ୱ ଯୁଦ୍ଧ ହେଉ କି ଶାନ୍ତି, ସାରା ବିଶ୍ୱ ଦେଖିଛି ଆମ ଯବାନଙ୍କ ଧୈର୍ଯ୍ୟ। ଏବେ ଆଉ ବିସ୍ତାରବାଦ ଚଳିବନି। ଏବେ ବିକାଶବାଦର ଯୁଗ ବୋଲି ମୋଦି କହିଛନ୍ତି। ଯବାନଙ୍କ ଜୋଶ୍ ବଢ଼ାଇବା ସହ ବୀରତ୍ୱକୁ ଭୁରି ଭୁରି ପ୍ରଂଶସା କରିଛି। ଭାରତୀୟ ଯବାନଙ୍କ ବୀରଙ୍କୁ ଦେଖିଛି ସାରା ଦେଶ। ଆଉ ଏହା ପାଇଁ ପ୍ରତ୍ୟେକ ଭାରତୀୟ ଗର୍ବିତ। ସେଦିନ ଶତ୍ରୁ ଦେଖିଛି ବୀର ଯବାନଙ୍କ ଧୈର୍ଯ୍ୟ ଓ ସାହସ। ଖାଲି ଏତିକି ନୁହେଁ, ମାତୃଭୂମିର ସୁରକ୍ଷା ପାଇଁ ଯେକୌଣସି ବଳିଦାନ ଦେବାକୁ ଯବାନ ସର୍ବଦା ପ୍ରସ୍ତୁତ ରହିଛନ୍ତି। ଯବାନଙ୍କ ବୀରତ୍ୱର କାହାଣୀ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ମୋଦି କହିଛନ୍ତି।


ଏହାସହ ଡ୍ରାଗନ୍‌କୁ ନିଶାନା କରି ଉଦାହରଣ ଦେଇଛନ୍ତି ମୋଦି। ଶ୍ରୀକୃଷ୍ଣଙ୍କୁ ବଂଶୀ ଓ ସୁଦର୍ଶନ ଚକ୍ର କଥା ଉଠାଇ ଭାରତୀୟଙ୍କ ବୀରତ୍ୱ, ସାହସିକତା ଏବଂ ଶାନ୍ତିର ଉଦାହରଣ ଦେଇଛନ୍ତି ମୋଦି। ଆଜି ଲଦାଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଚାନକ ଗସ୍ତ କରିଥିଲେ। ଲଦାଖର ନିମୁ ସେନା କ୍ୟାମ୍ପରେ ଯବାନଙ୍କ ସହ ଆଲୋଚନା କରିଛନ୍ତି ମୋଦି।

ପିଏମ୍ ମୋଦି ଆହୁରି କହିଛନ୍ତି, ଆପଙ୍କ ସମ୍ମାନ, ଆପଣଙ୍କ ପରିବାରର ସମ୍ମାନ ଓ ଭାରତ ମାତାର ସୁରକ୍ଷାକୁ ଦେଶର ସର୍ବପ୍ରଥମେ ପ୍ରାଥମିକତା ଦେଇ ଆସୁଛି। ଆବଶ୍ୟକ ଅସ୍ତ୍ରଶସ୍ତ୍ର ଠାରୁ ଆରମ୍ଭ କରି ସେନାଙ୍କ ପାଇଁ ଯାହାକିଛି ବି ଦରକାର, ଆମେ ତା’ ଉପରେ ସର୍ବଦା ଗୁରୁତ୍ୱ ଦେଇଥାଉ। ଏବେ ଦେଶରେ ଥିବା ସୀମାର ଭିତ୍ତିଭୂମି ପାଇଁ ହେବାକୁଥିବା ଖର୍ଚ୍ଚକୁ ତିନିଗୁଣା କରିଦିଆଯାଇଛି।

ସେନାଙ୍କ ବୀରତାକୁ ପ୍ରଶଂସା କରି ମୋଦି କହିଛନ୍ତି, ଆପଣମାନେ ଯେଉଁ ସାହସ ଦେଖାଇଛନ୍ତି, ତାହା ପ୍ରଶଂସାଯୋଗ୍ୟ। ଗଲୱାନ ଘାଟିରେ ସହିଦ ବୀର ଯବାନଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି। ସେମାନେ ବୀରତାର ପରିଚୟ ଦେଖାଇଛନ୍ତି। ଆଜି ପ୍ରତି ଦେଶବାସୀଙ୍କ ମୁଣ୍ଡ ଆପଣଙ୍କ ପାଖରେ ନତମସ୍ତକ। ଆପଣଙ୍କ ବୀରତା ପାଇଁ ଆଜି ପ୍ରତି ଭାରତୀୟଙ୍କ ଛାତି ଫୁଲିଉଠୁଛି। ଏହି ମାଟି, ପାଣି, ପଥର ଭାରତୀୟ ଯବାନଙ୍କ ପରାକ୍ରମର ସାକ୍ଷୀ। ସାରା ଦୁନିଆ ଆଜି ଭାରତୀୟ ଯବାନଙ୍କ ପରାକ୍ରମ ଦେଖିଲା। ଗଲୱାନ ଆମର। ଲଦାଖର ଏ ପୂରା ଅଞ୍ଚଳ ଭାରତର ମସ୍ତକ। ଏ ମାଟି ବୀରମାନଙ୍କ ପାଇଁ, ଏହାର ସୁରକ୍ଷା ଆମର ସଂକଳ୍ପ।

ସ୍ଥଳ ସେନା, ବାୟୁ ସେନା ଏବଂ ଆଇଟିବିପି ଯବାନଙ୍କ ସହ ବିସ୍ତୃତ ଭାବେ କଥା ହୋଇଛନ୍ତି। ଯବାନଙ୍କ ସହ ଆଲୋଚନା କରିବା ସମୟରେ ତାଙ୍କ ସହ ଉପସ୍ଥିତ ଥିଲେ ସିଡିଏସ୍ ଜେନେରାଲ ବିପିନ ରାୱତ, ସ୍ଥଳ ସେନା ମୁଖ୍ୟ ଏମ୍ଏମ୍ ନରୱାଣେ। ଯବାନଙ୍କ ମନୋବଳ ବଢ଼ାଇବା ସହ ସୁରକ୍ଷା ପ୍ରସଙ୍ଗକୁ ନେଇ ସ୍ଥିତି ପରଖିଛନ୍ତି ମୋଦି। ନିମୁ ସେନା କ୍ୟାମ୍ପ ହେଉଛି ଏଲ୍ଏସିର ବେଶ ନିକଟତର ଯାହା ସିନ୍ଧୁ ନଦୀ କୂଳରେ ରହିଛି। ସମୁଦ୍ର ପତ୍ତନଠୁ ୧୧ ହଜାର ଫୁଟ୍ ଉପରେ ରହିଛି ଏହି କ୍ୟାମ୍ପ। ୧୯୭୧ ପରେ ପ୍ରଥମର ଥର ପାଇଁ ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଏହି କ୍ୟାମ୍ପକୁ ଗସ୍ତ କରିଛନ୍ତି।

You might also like