ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଚିଠି-ଆମେ ଆମର ବର୍ତ୍ତମାନ ଗଢିବା, ଭବିଷ୍ୟତ ବି

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ହୋଇଛି । ଦେଶରେ ବହୁ ଦଶନ୍ଧି ପରେ କୌଣସି ସଂଖ୍ୟାଗରିଷ୍ଠ ସରକାରକୁ ଲଗାତାର ଦ୍ୱିତୀୟ ଥର ପାଇଁ ଦେଶବାସୀ ପୂର୍ଣ୍ଣ ବହୁମତ ସହିତ ଶାସନ ଭାର ଅର୍ପଣ କରିଥିବାରୁ  ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଡିଓ ବାର୍ତ୍ତା ଜରିଆରେ କରୋନା ସଂକ୍ରମଣ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଛନ୍ତି । ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଭାରତ ଗତି କରୁଛି। ଆଗକୁ ଅନେକ ଆହ୍ୱାନ ଅଛି। ବର୍ତ୍ତମାନ ସ୍ଥିତିରେ ଆତ୍ମନିର୍ଭରଶୀଳ ହେବା ଆମ ପାଇଁ ଏକ ବଡ଼ ଆହ୍ୱାନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆମକୁ ଆମର ବର୍ତ୍ତମାନ ଗଢିବାକୁ ପଡିବ ଆଉ ଭବିଷ୍ୟତ ବି। ଆମେ ଆଗକୁ ବଢିବା, ପ୍ରଗତି ପଥରେ ଆଗେଇବା। ଆଉ ବିଜୟ ଲାଭ ମଧ୍ୟ କରିବା।

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଥିଲେ, ଅନେକ ଦେଶ ଆଶଙ୍କା କରୁଥିଲେ, ଯଦି କରୋନା ଭାରତରେ ବ୍ୟାପେ, ତେବେ ଭାରତ ପୁରା ଦୁନିଆ ପାଇଁ ସଙ୍କଟ ପାଲଟି ଯିବ। ହେଲେ ଆଜି ସମସ୍ତ ଦେଶ ଭାରତକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ଭାରତବାସୀ ପ୍ରମାଣିତ କରିଦେଲେ ଯେ, ସମାନେ ବି କମ୍‌ ନୁହଁନ୍ତି।  ବିଶ୍ୱର ସାମାର୍ଥ୍ୟବାନ ଏବଂ ସମ୍ପନ୍ନ ଦେଶ ତୁଳନାରେ ଭାରତୀୟଙ୍କ ସାମୁହିକ ସାମର୍ଥ୍ୟ ଏବଂ କ୍ଷମତା ଅଭୂତପୂର୍ବ ଅଟେ।

ଅମ୍ପନ ବାତ୍ୟାର ମୁକାବିଲା ପାଇଁ ଓଡ଼ିଶାର ପଦକ୍ଷେପକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ପୂର୍ବରୁ ପତ୍ର ମାଧ୍ୟମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଥିଲେ । କରୋନା ସଂକ୍ରମଣ ଯୋଗୁ ସର୍ବସାଧାରଣକୁ ଆସି କୃତଜ୍ଞତା ଜଣାଇ ପାରୁନଥିବାରୁ ପତ୍ରମାଧ୍ୟମରେ ପ୍ରଣାମ ଜଣାଉଛି ବୋଲି ଲେଖିଛନ୍ତି ମୋଦି । ଏହି ପତ୍ରରେ ବିଗତ ବର୍ଷେ ମଧ୍ୟରେ କେନ୍ଦ୍ର ସରକାର କରିଥିବା କାର୍ଯ୍ୟ ଓ ୨୦୧୪ରୁ କ୍ଷମତାକୁ ଆସିବା ପରେ କଣ ସବୁ ବଡ଼ ପଦକ୍ଷେପ ନିଆଯାଇଛି ସେନେଇ ଲୋକଙ୍କୁ ପୂରା ହିସାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

You might also like