ଆସନ୍ତା ୨୫ ବର୍ଷ ବେଶ୍ ଗୁରୁତ୍ୱପୂର୍ଣ୍ଣ, ଚାପ ଆଗରେ ନଇଁବାନି: ମୋଦି

ଢାକା: ବାଂଲାଦେଶ ସ୍ୱାଧୀନତା ସଂଗ୍ରାମରେ ଲଢିଥିବା ମୁକ୍ତିଯୋଦ୍ଧାଙ୍କ ରକ୍ତ ଏବଂ ଭାରତୀୟ ସୈନ୍ୟଙ୍କ ରକ୍ତ ଏକାଠି ବୋହିଛି। ଏହି ରକ୍ତ ଏଭଳି ଏକ ସମ୍ପର୍କ ତିଆରି କରିବ ଯାହା କି କୌଣସି ଚାପ ଆଗେ ନଇଁବନି କି କୂଟନୀତିର ଶିକାର ହେବନି। ଆଜି ଢାକାରେ ବାଂଲାଦେଶ ରାଷ୍ଟ୍ରୀୟ ଦିବସ ସମାରୋହରେ ଯୋଗ ଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ମୋଦି ଆହୁରି ମଧ୍ୟ କହିଛନ୍ତି, ଭାରତ ଓ ବାଂଲାଦେଶ ପାଇଁ ଆସନ୍ତା ୨୫ ବର୍ଷ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଦୁଇ ଦେଶର ଐତିହ୍ୟ, ବିକାଶ, ଲକ୍ଷ୍ୟ ଓ ସୁଯୋଗରେ ସହଭାଗିତା ରହିଛି। ବ୍ୟବସାୟ ଓ ଶିଳ୍ପ କ୍ଷେତ୍ରରେ ମଧ୍ୟ ଏହି ସୁଯୋଗ ରହିଥିବା ବେଳେ ଆତଙ୍କବାଦ କ୍ଷେତ୍ରରେ ମଧ୍ୟ ସମାନ୍ ଚ୍ୟାଲେଞ୍ଜ ରହିଛି। ରାଷ୍ଟ୍ରୀୟ ଦିବସ ସମାରୋହ ଅବସରରେ ପ୍ରଧାନମନ୍ତ୍ରୀ ମୋଦି, ବାଂଲଦେଶର ଜାତିର ପିତା ଶେଖ୍ ମୁଜିବୁର ରେହମାନଙ୍କୁ ମରୋଣତ୍ତର ଭାବେ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରିଥିଲେ।

୨ ଦିନିଆ ଗସ୍ତରେ ଆସି ଆଜି ପୂର୍ବାହ୍ନରେ ଢାକାରେ ପହଂଚିଥିଲେ ମୋଦି। ନିଜେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ଓ ତାଙ୍କ କ୍ୟାବିନେଟ ମନ୍ତ୍ରୀମାନେ ବିମାନବନ୍ଦରରେ ପହଞ୍ଚି ମୋଦିଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ମୋଦିଙ୍କୁ ୧୯ ତୋପ ସଲାମି ସହ ଗାର୍ଡ ଅପ୍ ଅନର୍ ଦିଆଯାଇଥିଲା।

ପରେ ମୋଦି ଜାତୀୟ ସହିଦ ସ୍ମାରକୀକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପରେ ପ୍ରଧାନମନ୍ତ୍ରୀ ବାଂଲାଦେଶ ମୁକ୍ତି ସଂଗ୍ରାମରେ ସାମିଲ ମୁକ୍ତିଯୋଦ୍ଧାଙ୍କ ସହ ସେଠାକାର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ଭେଟିଥିଲେ। ମୋଦିଙ୍କ ଦୁଇ ଦିନିଆ ରହଣି ବେଳେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ସହିତ ଅନେକ ଚୁକ୍ତି ସ୍ୱାକ୍ଷରିତ ହେବା କାର୍ଯ୍ୟକ୍ରମ ରହିଛି। କରୋନା ମହାମାରୀ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ପ୍ରଥମ ବିଦେଶ ଗସ୍ତ।

You might also like