ଗରିବ କଲ୍ୟାଣ ଅଭିଯାନର ଶୁଭାରମ୍ଭ; ଓଡ଼ିଶାର ୪ ଜିଲ୍ଲା ସାମିଲ୍
ନୂଆଦିଲ୍ଲୀ: ପ୍ରବାସୀମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନର ଶୁଭ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂରେ ଏହି ଅଭିଯାନର ଶୁଭାରମ୍ଭ କରୁଛନ୍ତି ମୋଦି। ବିହାର ଖଗଡ଼ିଆ ଜିଲ୍ଲା ତେଲିହାର ଗାଁରୁ ଯୋଜନାର ଶୁଭାରମ୍ଭ କରାଯାଉଛି। ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦେବା ଲକ୍ଷ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଛି। ଏଥିପାଇଁ ୫୦ ହଜାର କୋଟିର ବ୍ୟୟବରାଦ କରିଛନ୍ତି କେନ୍ଦ୍ର ସରକାର।
ଏହି ଅଭିଯାନରେ ଦେଶର ୬ଟି ରାଜ୍ୟର ଯଥା ବିହାର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାରଖଣ୍ଡ ଓ ଓଡ଼ିଶାର ୧୧୬ଟି ଜିଲ୍ଲାକୁ ଚିହ୍ନଟ କରାଯାଇଛି। ଏହିସବୁ ଜିଲ୍ଲାଗୁଡ଼ିକରେ ଅଧିକ ସଂଖ୍ୟକ ପ୍ରବାସୀ ଫେରିଥିବାରୁ ସେମାନଙ୍କୁ କାମ ଯୋଗାଇ ଦିଆଯିବ। ଅଭିଯାନ ଅନୁସାରେ ଯେଉଁ ଜିଲ୍ଲା ଓ ରାଜ୍ୟଗୁଡ଼ିକରେ ୨୫ ହଜାରରୁ ଅଧିକ ପ୍ରବାସୀ ଫେରିଥିବେ କେବଳ ସେହି ଜିଲ୍ଲଗୁଡ଼ିକ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବ। ଏଥିରେ ଓଡ଼ିଶାର ୪ଟି ଜିଲ୍ଲା ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର ଜିଲ୍ଲା ବି ରହିଛି।
ଏହି ଜିଲ୍ଲାମାନଙ୍କୁ ୨୫ ହଜାରରୁ ଅଧିକ ପ୍ରବାସୀ ଶ୍ରମିକ ଫେରିଛନ୍ତି। ସେମାନଙ୍କୁ ତୁରନ୍ତ ୧୨୫ଦିନର କାମ ଯୋଗାଇବା ପାଇଁ ରୂପରେଖ ପ୍ରସ୍ତୁତ ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଭିଡିଓ କନଫରେନ୍ସିଂରେ ଉପସ୍ଥିତ ଅଛନ୍ତି।
ଦେଶରେ କରୋନା ଭାଇରସ୍ ସ୍ଥିତି ଯୋଗୁ କେନ୍ଦ୍ର ସରକାର ଦେଶର ମାର୍ଚ୍ଚ ୨୧ ତାରିଖରୁ ମୋ ୩୧ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା କରିଥିଲେ। ଏହାପରେ ବିଭିନ୍ନ କମ୍ପାନୀ ଓ କାର୍ଯ୍ୟ ସଂସ୍ଥା ବନ୍ଦ ହୋଇଯିବାରୁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ନିଜ ନିଜ ଗାଁକୁ ଫେରି ଆସିଥିଲେ। ଫଳରେ ଦେଶର ବେରୋଜଗାରୀ ବଢିଯାଇଥିଲା। ଏବେ ସେମାନଙ୍କ କାମ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଏପରି ପଦକ୍ଷେପ ନେଇଛନ୍ତି।
ଭିଡିଓ କନଫରେନ୍ସିଂରେ ଏହି ଯୋଜନାର ଶୁଭାରମ୍ଭ କରିବା ବେଳେ ଦେଶ କରୋନା ଭାଇରସ୍ ସହିତ କିପରି ଲଢ଼ିଛି ସେ ବିଷୟରେ ବି ଆଲୋକପାତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହିତ ଦେଶର ସମସ୍ତ କରୋନା ଯୋଦ୍ଧା ଓ ରାଜ୍ୟସରକାରମାନଙ୍କୁ ଧନ୍ୟବାଦ ଦେଇଥିଲେ।