ସନ୍ଧ୍ୟା ୬ଟାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ପ୍ରଧାନମନ୍ତ୍ରୀ

କଣ କହିବେ ମୋଦି?

ନୂଆଦିଲ୍ଲୀ:  ଦେଶରେ କରୋନା ସ୍ଥିତି ସଙ୍ଗୀନ ହେଲାଣି। ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୯ ହଜାର ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୬୧ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୩ ଲକ୍ଷ ୨୧ ହଜାର ୮୯କୁ ବୃଦ୍ଧି ପାଇଛି । ସେହିପରି କରୋନା ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୮୦ ହଜାର ୫୩୦କୁ ବୃଦ୍ଧି ପାଇଛି। ତେବେ ଏପରି ସମୟରେ ଆଜି ସନ୍ଧ୍ୟା ସନ୍ଧ୍ୟା ୬ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ଉତ୍ପାଦନକାରୀଙ୍କ ସହିତ ଏହି ବୈଠକ କରିବେ ବୋଲି ଜଣାପଡ଼ିଛି। ଟିକାକରଣର ଉତ୍ପାଦନକୁ ବୃଦ୍ଧି କରିବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ମୋଦି।

ଦେଶରେ ଲାଗାତର ଭାବରେ ରେକର୍ଡ ପରେ ରେକର୍ଡ କରିଚାଲିଛି କରୋନା। ସଂକ୍ରମଣର ହାର ଓ ମୃତ୍ୟୁ ସଂଖ୍ୟା ବଢିଚାଲିଥିବାରୁ ଏବେ ସମସ୍ତେ ଚିନ୍ତାରେ ଅଛନ୍ତି। ଏହାରି ମଧ୍ୟରେ ଗତକାଲି ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ପ୍ରଥମେ ଅପରାହ୍ନ ୪.୩୦‌ରେ ‌ବରିଷ୍ଠ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ ବୋଲି ସୂଚନା ମିଳିଛି। ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଅକ୍ସିଜେନ୍‌ ସପ୍ଲାଏ ଓ ରେମିଡିସିଭିର୍‌ ପରି କରୋନା ଔଷଧର ଅଭାବକୁ ନେଇ କେନ୍ଦ୍ରରେ ଅଭିଯୋଗ କରିବା ପରେ ପ୍ରଧାନମନ୍ତ୍ରୀ ଜରୁରୀକାଳୀନ ମିଟିଂ ଡାକିଥିବା ସୂଚନା ମିଳିଥିଲା । ଏହାସହ କରୋନାକୁ ନେଇ ପ୍ରଧାନମନ୍ତ୍ରୀ ଲଗାତାର ସମୀକ୍ଷା ମଧ୍ୟ କରୁଛନ୍ତି।

ତେବେ ଟିକା ନେଇ ଗତକାଲି ବଡ଼ ଘୋଷଣା କରିଥିଲେ କେନ୍ଦ୍ର ସରକାର। ମେ ୧ରୁ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ  ଟିକା ମିଳିବ। ତୃତୀୟ ପର୍ଯ୍ୟାୟ ଟିକାକରଣ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟମାନେ କିଣିପାରିବେ କରୋନା ଟିକା। ଉତ୍ପାଦକମାନେ କେନ୍ଦ୍ରକୁ ୫୦ ପ୍ରତିଶତ ଟିକା ଯୋଗାଇବେ। ବାକି ୫୦ ପ୍ରତିଶତ ଟିକା ରାଜ୍ୟମାନଙ୍କୁ ଉତ୍ପାଦକ ଦେଇପାରିବେ ଗତକାଲି କେନ୍ଦ୍ର  ନିଷ୍ପତ୍ତି ନେଇଥିଲା। ଏହାସହ ଗତବର୍ଷ ତୁଳନାରେ କରୋନା ଭାଇରସ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତେଣୁ ଆଜି ମୋଦି କଣ ଆଲୋଚନା କରିବେ ସେନେଇ ଜୋରଦାର ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି। ତେବେ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ଓ ପଦକ୍ଷେପକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଥିଲେ। ଏହା ଆମର କୋଭିଡ ମୁକାବିଲା ପ୍ରସ୍ତୁତିକୁ ସଶକ୍ତ କରିବ। ଖୋଲା ବଜାରରେ ଟିକା ଉପଲବ୍ଧ କରାଇବା ମଧ୍ୟ ଏକ ବଡ଼ ପଦକ୍ଷେପ ବୋଲି ଧର୍ମେନ୍ଦ୍ର ପ୍ରଧାନ ଗତକାଲି କହିଥିଲେ।

You might also like