ଜାନୁଆରୀ ୧୧ରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ୧୧ ତାରିଖରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୧୧ ତାରିଖ ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ।

ରାଜ୍ୟ ଗୁଡ଼ିକରେ କରୋନାର ସ୍ଥିତି ଏବଂ ଟିକାକରଣ ପ୍ରସ୍ତୁତି ନେଇ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

କିଛି ରାଜ୍ୟରେ କରୋନା ପରିସ୍ଥିତି ବିଗିଡ଼ିଛି। କେରଳ, ମହାରାଷ୍ଟ୍ର, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ତେଣୁ ଏଦିଗକୁ ନେଇ ବି ଆଲୋଚନା ହୋଇପାରେ। ଏହାସହ କରୋନା ଟିକାକରଣ ପୂର୍ବରୁ ଏହାର ବ୍ୟବସ୍ଥିତ ଢଙ୍ଗରେ ବଣ୍ଟନ ଓ ଏହାକୁ ନେଇ ପ୍ରସ୍ତୁତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ।

କେରଳ, ମହାରାଷ୍ଟ୍ର, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗରେ କରୋନା କଟକଣା ଲାଗୁ କରିବା ସହ ଏଦିଗରେ ଧ୍ୟାନ ଦେବାକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ। ଏହି ୪ ରାଜ୍ୟର ଶାସନ ସଚିବଙ୍କୁ ଏହି ଚିଠି ଲେଖାଯାଇଛି। ରାଜ୍ୟରେ କରୋନା ଟେଷ୍ଟିଂକୁ ବଢ଼ାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

ଏହି ୪ ରାଜ୍ୟରେ ଏବେ ଦେଶର ମୋଟ୍ ୫୯ ପ୍ରତିଶତ କରୋନା ଆକ୍ଟିଭ୍‌ କେସ୍‌ ରହିଛି। ତେଣୁ ‘Test-Track-Treat‌ 3Tକୁ ଗୁରୁତ୍ୱ ଦେବାକୁ କୁହାଯାଇଛି।

ଲୋକଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ପରାମର୍ଶ ଦେଇଛନ୍ତି।

ଗତକାଲି କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍‌ ହୋଇଥିଲା। ରାଜ୍ୟର ସମସ୍ତ PHC, CHC ଓ ମେଡିକାଲ କଲେଜ ସହ ଘରୋଇ ହସ୍ପିଟାଲ ଏପରି ୧୧୦ଟି ସାଇଟରେ ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍ ହୋଇଥିଲା। ଏହା ପୂର୍ବରୁ ଗତ ୨ ତାରିଖରେ ସାରା ଦେଶରେ କରୋନା ଟିକାକରଣର ପ୍ରଥମ ପର୍ଯ୍ୟାୟ ଡ୍ରାଏ ରନ୍ ହୋଇଥିଲା।

କେବଳ ଓଡ଼ିଶା ନୁହେଁ ଗତକାଲି ୩୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୭୩୬ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍ ହୋଇଥିଲା। ଟିକା କେଉଁଠୁ ଆସୁଛି ଦେଖିବା ଠାରୁ ଆରମ୍ଭ କରି ଟିକା ପ୍ରଦାନ ଓ ହିତାଧିକାରୀ ଘରକୁ ଫେରିବା ଯାଏ, ସବୁ ପ୍ରକ୍ରିୟାର ସମୀକ୍ଷା କରିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ। ଚେନ୍ନାଇର ଜେନେରାଲ ହସ୍ପିଟାଲରେ ନିଜେ ଏହି ପ୍ରକ୍ରିୟା ଦେଖିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ।

You might also like