ଦ୍ୱିତୀୟ ଡୋଜ୍‌ କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀ ସ୍ଥିତ ଏମ୍ସରେ କରୋନା ଟିକାର ଦ୍ୱିତୀୟ ଡୋଜ୍ ନେଇଛନ୍ତି। ଟିକା ନେବା ବେଳର ଏକ ଫଟୋ ସୋସିଆଲ୍‌ ମିଡିଆରେ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ମାର୍ଚ୍ଚ ୧ ତାରିଖରେ ପ୍ରଧାନମନ୍ତ୍ରୀ କରୋନା ଟିକା କୋଭାକ୍ସିନ୍‌ର ପ୍ରଥମ ଡୋଜ୍ ନେଇଥିଲେ।

କରୋନା ଟିକାର ପ୍ରଥମ ଡୋଜ୍ ନେବା ପରେ ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି ଉଲ୍ଲେଖ କରିଥିଲେ, ମହାମାରୀ କରୋନା ବିରୋଧ ଲଢ଼େଇରେ ଭାରତର ଡାକ୍ତର ଓ ବୈଜ୍ଞାନିକ ଖୁବ୍ କମ ସମୟ ମଧ୍ୟରେ ଯେଉଁ ଯୋଗଦାନ ଦେଇଛନ୍ତି ତାହା ଉଲ୍ଲେଖନୀୟ। ଏହାସହ ଯେଉଁମାନେ ଟିକା ଗ୍ରହଣ ପାଇଁ ଯୋଗ୍ୟ ସେମାନେ ଆଗକୁ ଆସି ଟିକା ନେବା ସହ ଦେଶକୁ କୋଭିଡ-୧୯ ମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ।

ଅନ୍ୟପକ୍ଷେ, ଦେଶରେ ବଢୁଥିବା କରୋନା ସଂକ୍ରମଣ ମାମଲା ଏବଂ ଟିକାକରଣ ନେଇ ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିବେ। ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହି ଥିବାବେଳେ ମୁଖ୍ୟମନ୍ତ୍ରୀମାନଙ୍କ ସହ ୫ ଦିନ ମଧ୍ୟରେ ଦ୍ୱିତୀୟ ଥର ଲାଗି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଗତ ୫ ଦିନ ମଧ୍ୟରେ ଲଗାତର ଲକ୍ଷେ ପାଖାପାଖି ରହୁଛି ପଜିଟିଭ ସଂଖ୍ୟା। ଯାହାକୁ ନେଇ ଚିନ୍ତା ବଢ଼ିଛି। ମହାରାଷ୍ଟ୍ର, ପଞ୍ଜାବ ଏବଂ ଛତିଶଗଡ଼ରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ଏହି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି।  ଗତ ରବିବାର ଦିନ ଦେଶରେ କୋଭିଡ୍ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ।

ଦେଶରେ କରୋନା ସଂକ୍ରମଣ ଗତକାଲି ସବୁ ରେକର୍ଡ ଭାଙ୍ଗିଥିଲା। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଗତକାଲି ଦେଶରେ ୧ ଲକ୍ଷ ୧୫ ହଜାର ୭୩୬ ଜଣ ସଂକ୍ରମିତ ହୋଇଥିଲେ। ଦେଶରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢ଼ୁ ଥିବାବେଳେ କେନ୍ଦ୍ର ସରକାର ମଙ୍ଗଳବାର ଏକ ପ୍ରକାର ଚେତାବନୀ ଦେଇଥିଲେ। ଆଗାମୀ ୪ ସପ୍ତାହ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ଏଥିପାଇଁ ସମସ୍ତଙ୍କୁ ସଜାଗ ରହିବାକୁ ପଡ଼ିବ ବୋଲି କେନ୍ଦ୍ର ସରକାର କହିଛନ୍ତି। ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଛତିଶଗଡ ଦୁର୍ଗ ଜିଲ୍ଲାରେ ସ୍ଥିତି ଭୟଙ୍କର ହୋଇଛି। ଏହାକୁ ମିଶାଇ ଦେଶର ୧୦ଟି ଜିଲ୍ଲା ଚିନ୍ତା ବଢାଇଛି।

କରୋନା ମୁକାବିଲା କ୍ଷେତ୍ରରେ ନିଜର ଅପାରଗତାରୁ ଧ୍ୟାନ ହଟାଇବାକୁ ନିନ୍ଦନୀୟ ପ୍ରୟାସ କରୁଛନ୍ତି କିଛି ରାଜ୍ୟ। କୋଭିଡ୍ ଭ୍ୟାକ୍ସିନ ସଙ୍କଟ ପ୍ରସଙ୍ଗକୁ ନେଇ ବିଭିନ୍ନ ରାଜ୍ୟ ପ୍ରଶ୍ନ ଉଠାଇବା ପରେ ଏଭଳି କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ।

You might also like