ଭାରତ ସାହସ ହରାଇବା ଭଳି ଦେଶ ନୁହେଁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ସାହସ ହରାଇବା ଭଳି ଦେଶ ନୁହେଁ। ଭାରତୀୟମାନେ ମଧ୍ୟ କେବେ ବି ନିଜର ସାହସ ହରାଇନାହାନ୍ତି। ଆମେ କରୋନା ବିରୋଧରେ ଲଢିବା ଏବଂ ଜିତିବା। ଆଜି ଚାଷୀଙ୍କୁ ସମ୍ବୋଧନ ବେଳେ ଏଭଳି ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ସାରା ଦେଶ କୋଭିଡ୍ ଚାଲେଞ୍ଜର ମୁକାବିଲା ଲାଗି ଏକଜୁଟ୍ ହୋଇଛି। ଦେଶରେ ଜରୁରୀ ଔଷଧର ଉତ୍ପାଦନ ବୃଦ୍ଧି ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ବିଦେଶରୁ ମଧ୍ୟ ଔଷଧ ଏବଂ ଅନ୍ୟ ସାମଗ୍ରୀ ମଗାଯାଉଛି। ଏହି ସଙ୍କଟ ସମୟରେ କିଛି ଅସାଧୁ ଲୋକ କଳାବାଜାରୀ କରୁଛନ୍ତି। ଏଭଳି ଲୋକଙ୍କ ବିରୋଧରେ କଠୋର କାର୍ଯନୁଷ୍ଠାନ ପାଇଁ ରାଜ୍ୟଗୁଡିକୁ ଅନୁରୋଧ କରିଛନ୍ତି ମୋଦି।

ସେ ଆହୁରି କହିଛନ୍ତି, ମହାମାରୀ ମହାବିପତ୍ତି ସମୟରେ ବି ଦେଶର ଅନ୍ନଦାତା ହାର୍ ମାନି ନାହାନ୍ତି। କରୋନା ଚ୍ୟାଲେଞ୍ଜ ମଧ୍ୟରେ ଦେଶର ଚାଷୀ ରେକର୍ଡ ପରିମାଣର ଶସ୍ୟ ଉତ୍ପାଦନ କରିଛନ୍ତି। ସରକାର ମଧ୍ୟ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ସଙ୍କଟ ମଧ୍ୟରେ ଏମ୍ଏସପି ଭଳି ଅନ୍ୟ ସହାୟତା ଚାଷୀଙ୍କୁ ପ୍ରଦାନ କରାଯାଇଛି। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ୧୦ ପ୍ରତିଶତ ଅଧିକ ଗହମ ଉତ୍ପାଦନ ହୋଇଛି। ଏଭଳି ସମୟରେ ଚାଷୀଙ୍କୁ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ନିଜର ଓ ନିଜ ପରିବାର ସଦସ୍ୟଙ୍କୁ ଯତ୍ନ ନେଇ ସଂକ୍ରମଣ ସମୟରେ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି ପିଏମ୍ ମୋଦି।

You might also like