ପଶ୍ଚିମବଙ୍ଗ ଲୋକଙ୍କୁ ମମତା ବଦଳରେ ନିର୍ମମତା ମିଳିଲା: ପ୍ରଧାନମନ୍ତ୍ରୀ ମୋଦି

କୋଲକାତା: ଆଗକୁ ନିର୍ବାଚନ ଥିବା ବେଳେ ଗତକାଲି ପଶ୍ଚିମବଙ୍ଗ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବନ୍ଦରୀ ନଗରି ହଳଦିଆରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ ମୋଦି ପଶ୍ଚିମବଙ୍ଗର ଟିଏମ୍‌ସି ସରକାରକୁ ବାମ ମେଣ୍ଟ ସରକାରର ଦ୍ୱିତୀୟ ସଂସ୍କରଣ ବୋଲି କହିଛନ୍ତି। ମମତାଙ୍କ ଶାସନ କାଳରେ ପଶ୍ଚିମବଙ୍ଗରେ ବାମବାଦ ପୁନର୍ଜନ୍ମ ନେଇଛି। ଏଠାରେ ରାଜନୀତିର ଅପରାଧିକରଣ ହୋଇଛି। ଏବଂ ପ୍ରଶାସନର ରାଜନୀତିକରଣ ହୋଇଛି ବୋଲି ମୋଦି କହିଛନ୍ତି।

ସେହିଭଳି ବଙ୍ଗର ସ୍ଥିତି ପାଇଁ ମୋଦି ଏଠାକାର ରାଜନୀତିକୁ ଦାୟୀ କରିଛନ୍ତି। ରାଜ୍ୟରେ ଦୁର୍ନୀତି ମାଡ଼ିଚାଲିଥିବା କହି ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ମମତା ବାନାର୍ଜୀଙ୍କ ଶାସନରେ କମ୍ୟୁନିଜମର ପୂନର୍ଜନ୍ମ ହୋଇଛି। ମମତାଙ୍କ ସରକାରର ପ୍ରଥମ ବର୍ଷରୁ ଏହା ଜଣାପଡ଼ିଥିଲା ଯେ ବେଙ୍ଗଲକୁ ଯାହା ମିଳିଛି ତାହା ପରିବର୍ତ୍ତନ ନୁହେଁ ବରଂ ବାମବାଦର ପୁନର୍ଜନ୍ମ। ତାହା ପୁଣି ସୁଧ ସହିତ। ବାମବାଦର ପୂନର୍ଜନ୍ମ ମାନେ ଭ୍ରଷ୍ଟାଚାର, ଅପରାଧ ଓ ଅପରାଧି, ହିଂସା ଓ ଲୋକତନ୍ତ୍ର ଉପରେ ଆକ୍ରମଣର ପୁନର୍ଜନ୍ମ ହିଁ ବାମବାଦନ। ଏଥିରେ ବେଙ୍ଗଲର ଦରିଦ୍ରତା ବଢ଼ିଚାଲିଛି ବୋଲି ମୋଦି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବରୁ ବେଙ୍ଗଲ ଯେତେ ଆଗୁଆ ଥିଲା ବିଗତ ଦଶନ୍ଧିରେ ଯଦି ସେହି ଗତିରେ ଆଗକୁ ବଢ଼ିଥାନ୍ତା, ତେବେ ଏହି ରାଜ୍ୟ ଆଜି କେଉଁଠି ବୋଲି କେଉଁଠି ପହଞ୍ଚି ସାରନ୍ତାଣି। ତେଣୁ ଆଜି ଏଠି ଯେତେସବୁ ଉଦ୍ୟୋଗ, କାରବାର ଓ ନିର୍ମାଣସବୁ ରହିଛି ସେମାନେ ସବୁ ପରିବତ୍ତନ ଚାହୁଁଛନ୍ତି। ଆଧୁନିକତା ଚାହୁଛନ୍ତି, କିନ୍ତୁ ଆପଣ ଭାବନ୍ତୁ ଯେ ବିଗତ ୧୦ ବର୍ଷ ହେଲା ଏଠାକାର ସରକାର କେତୋଟି ଫ୍ୟାକ୍ଟ୍ରିର ଶିଳନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି ? ଏଠାରେ ଏକ ଷ୍ଟିଲ୍‌ ପ୍ଲାଣ୍ଟ ବସିବାକୁ ଥିଲା। କିନ୍ତୁ ଅବ୍ୟବସ୍ଥା ଯୋଗୁ ଖୋଲିପାରିଲା ନାହିଁ। ଏବେ ସେ କୁଆଡ଼େ ଗଲା ବୋଲି ମମତାଙ୍କୁ ପ୍ରଶ୍ନ କରିଛନ୍ତି ମୋଦି।

ହିଂସାମୂଳକ ରାଜନୀତି ନେଇ ଟାର୍ଗେଟ୍

ପଶ୍ଚିମବଙ୍ଗ ରାଜନୀତି କ୍ଷେତ୍ରରେ ବଢ଼ୁଥିବା ହିଂସାକୁ ନେଇ ମଧ୍ୟ ମମତାଙ୍କୁ ଟାର୍ଗେଟ୍ କରିଛନ୍ତି ମୋଦି। ସେ କହିଛନ୍ତି ଯେ ନନ୍ଦୀଗ୍ରାମରେ ଯେଉଁମାନେ ରକ୍ତ ବୁହାଇଲେ ସେଇମାନେ ହିଁ ତୃଣମୂଳ କଂଗ୍ରେସରେ ସାମିଲ ହେଉଛନ୍ତି। ସ୍ୱାଧୀନତା ପରେ ପଶ୍ଚିମବଙ୍ଗକୁ ବିକାଶ ଆଡ଼କୁ ନେବାର ଆବଶ୍ୟକ ଥିଲା। କିନ୍ତୁ ଏଠାରେ ବିକାଶବାଲା ରାଜନୀତି ହୋଇପାରିଲା ନାହିଁ। ଆଜି  ଟିଏମ୍‌ସିକୁ ପଚାରିବାକୁ ଚାହେଁ ଯେ ଯେଉଁ ପୋଲିସମାନେ ନନ୍ଦୀଗ୍ରାମରେ ଗୁଳି ଚଳାଇଥିଲେ, ଯେଉଁମାନେ ଗରିବମାନଙ୍କ ରକ୍ତ ବୁହାଇଥିଲେ, ସେମାନଙ୍କୁ ଦଳରେ କାହିଁକି ସାମିଲ କରାଗଲା ? ବେଙ୍ଗଲର ଗରିବ ଲୋକମାନେ କଣ କେବଳ ଭୋଟ୍ ଦେବା ଅଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ମୋଦି।

ନାରା ଦେଲେ ଦିଦି ନାରାଜ ନେଇ ଏମିତି କହିଲେ ମୋଦି

ନାରା ନେଇ ଦିଦିଙ୍କ ନାରାଜକୁ ନେଇ ମଧ୍ୟ ମମତାଙ୍କୁ ସମାଲୋଚନା କରିଛନ୍ତି ମୋଦି। ସେ କହିଛନ୍ତି ଯେ ବେଙ୍ଗଲରେ ଯଦି ଆପଣ ନିଜର ଅଧିକାର କଥା କହିବେ ତେବେ ଦିଦି ନାରାଜ ହୋଇଯିବେ। ଭାରତ ମାତା କି ଜୟ ନାରା ଲଗାଇଲେ ବି ସେ ନାରାଜ ହେଇଯାଉଛନ୍ତି। କିନ୍ତୁ ଦେଶ ବିରୋଧରେ କହୁଥିବା ଲୋକମାନେ ଯେତେ ବିଷୋଦ୍‌ଗାର କଲେ ବି ଦିଦିଙ୍କୁ ରାଗ ଆସେ ନାହିଁ ବୋଲି ମୋଦି କହିଛନ୍ତି।

ତା ସହିତ ଅନ୍ତର୍ଜାତୀୟ କ୍ଷେତ୍ରରେ ଭାରତକୁ ବଦ୍‌ନାମ କରାଯାଉଥିବା କଥା ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ। ଏଥିପାଇଁ ଏକ ଷଡ଼ଯନ୍ତ୍ର ଚାଲିଛି ବୋଲି ସେ କହିଛନ୍ତି। ଚା ଓ ଯୋଗ ପାଇଁ ଭାରତ ଯେଉଁ ପରିଚୟ ପାଇଛି ତାକୁ ବଦ୍‌ନାମ କରିବାକୁ ଚେଷ୍ଟା କରାଯାଉଛି ବୋଲି ମୋଦି କହିଛନ୍ତି। କିନ୍ତୁ ମାଆ ମାଟି ଓ ମଣିଷ କଥା କହୁଥିବା ଲୋକମାନେ ଆଜି ଭାରତ ମାତା ପାଇଁ ସ୍ୱର ଉଠାଉ ନାହାନ୍ତି। ରାଜନୀତିର ଅପରାଧିକରଣ ଓ ଭ୍ରଷ୍ଟାଚାରର ସରକାରୀକରଣ ବେଙ୍ଗଲରେ କରାଯାଇଛି। କେବଳେ ସେତିକି ନୁହେଁ ପ୍ରଶାସନ ଓ ପୋଲିସର ରାଜନୀତିକରଣ ବି ଜଳ ଜଳ ହୋଇ ଦିଶୁଛି ବୋଲି ମୋଦି କହିଛନ୍ତି।

ପଶ୍ଚିମବଙ୍ଗ ଲୋକମାନଙ୍କୁ ମମତା ଜାଗାରେ ନିର୍ମମତା ମିଳିଲା

ପଶ୍ଚିମବଙ୍ଗରେ କଂଗ୍ରେସ ସରକାର ଠାରୁ ଆରମ୍ଭ କରି ବାମଦଳ ସରକାର ଓ ମମତା ସରକାରକୁ କଡ଼ା ସମାଲୋଚନା କରିଛନ୍ତି ମୋଦି। ଏନେଇ ସେ କହିଛନ୍ତି ବେଙ୍ଗଲରେ ପ୍ରଥମେ କଂଗ୍ରେସ ଶାସନ କରୁଥିବା ସମୟରେ ଭ୍ରଷ୍ଟାଚାର ଶୀର୍ଷରେ ରହିଥିଲା। ପରେ ଅନେକ ଦିନ ଧରି ଏଠାରେ ବାମଦଳର ସରକାର ଥିଲା। ଆଉ ଏହି ସମୟରେ ଭ୍ରଷ୍ଟାଚାର, ଅତ୍ୟାଚାର ବଢ଼ିବା ସହିତ ବିକାଶ ଉପରେ ବି ବ୍ରେକ୍‌ ଲାଗିଥିଲା। ଶେଷରେ ଆସିଲା ମମତାଙ୍କ ସରକାର। ୨୦୧୧ରେ ପୂରା ଦେଶର ନଜର ବେଙ୍ଗଲ ଉପରେ ଥିଲା। ମମତା ପରିବର୍ତ୍ତନ ଭରସା ଦେଇଥିଲେ, ଜନତା ଭରସା ବି କରିଥିଲେ। କିନ୍ତୁ ବେଙ୍ଗଲ ଲୋକଙ୍କୁ ମମତା ଜାଗାରେ ନିର୍ମମତା ମିଳିଲା ବୋଲି ମୋଦି କହିଛନ୍ତି।

ବେଙ୍ଗଲକୁ ଅଧିକ ଧ୍ୟାନ ଦେଉଛନ୍ତି କଂଗ୍ରେସ ସରକାର

ହଳଦିଆରେ ଆଜି ସଭାକୁ ସମ୍ବୋଧନ କରି ମମତାଙ୍କୁ ଟାର୍ଗେଟ୍ କରିବା ପରେ କେନ୍ଦ୍ର ସରକାର ବେଙ୍ଗଲକୁ ଅଧିକ ଧ୍ୟାନ ଦେଉଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି ଯେ ବେଙ୍ଗଲ୍‌ର ବିକାଶ କରିବା ଓ ଆଧୁନିକ ଇନ୍‌ଫ୍ରାଷ୍ଟ୍ରକଚର ନିର୍ମାଣ କରିବା କେନ୍ଦ୍ର ସରକାରଙ୍କର ପ୍ରାଥମିକତା ରହିଛି। କୋଲକାତାରେ ୮୫୦୦ କୋଟି ଟଙ୍କା ନିବେଶରେ ମେଟ୍ରୋ ପ୍ରୋଜେକ୍ଟ ଉପରେ କାମ ଜୋର୍‌ସୋର୍‌ରେ ଚାଲିଛି। ତେବେ ଚଳିତ ବଜେଟ୍‌ରେ କେନ୍ଦ୍ର ସରକାର ଏହି ଅଭିଯାନକୁ ଆହୁରି ବିସ୍ତାର କରିଛନ୍ତି ବୋଲି ମୋଦି କହିଛନ୍ତି। ତା ସହିତ ଚଳିତ ବଜେଟ୍‌ରେ ଚା ଚାଷୀଙ୍କ ପାଇଁ ବିଶେଷ ଧ୍ୟାନ ଦିଆଯାଇଛି। ଏଥିପାଇଁ ହଜାରେ କୋଟିର ପ୍ୟାକେଜ୍‌ ବ୍ୟବସ୍ଥା କରାଯାଇଛି। ଯାହାର ଲାଭ ପଶ୍ଚିମବଙ୍ଗ ଚାହା ଚାଷୀଙ୍କୁ ହେବ ବୋଲି ପିଏମ୍ କହିଛନ୍ତି।

ତା ସହିତ ବେଙ୍ଗଲରେ ନ୍ୟାସ୍‌ନାଲ ହାଇୱେ ତିଆରି କରିବା ପାଇଁ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି। ବେଙ୍ଗଲକୁ ପଞ୍ଜାବ ସହିତ ଯୋଡ଼ିବା ପାଇଁ ପୂର୍ବ ଡେଡିକେଟେଡ୍‌ ଫ୍ରଟ୍‌ କରିଡର ବହୁତ ଜଲ୍‌ଦୀ ତିଆରି ହେବାକୁ ଯାଉଛି। କେବଳ ସେତିକି ନୁହେଁ ଖଡ଼ଗପୁର ଠାରୁ ବିଜୟୱାଡ଼ା ପର୍ଯ୍ୟନ୍ତ ନୂଆ ଫ୍ରେଟ୍ କରିଡର ଘୋଷଣା କରାଯାଇଛି। ବେଙ୍ଗଲରେ ଗତ ବର୍ଷ ଅପେକ୍ଷା ଏବର୍ଷ ୨୫ ପ୍ରତିଶତ ଅଧିକ ଖର୍ଚ୍ଚ କରାଯିବ ବୋଲି ମୋଦି କହିଛନ୍ତି।

ସୂଚନା ଥାଉକି, ଦୁଇ ସପ୍ତାହ ଭିତରେ ମୋଦିଙ୍କର ଏହା ଦ୍ୱିତୀୟ ପଶ୍ଚିମବଙ୍ଗ ଗସ୍ତ। ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ଆସାମ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି। ତେଣେ ମୋଦିଙ୍କ ଜରିଆରେ ବିଜେପି ଉଭୟ ରାଜ୍ୟରେ ପ୍ରଚାର ଅଭିଯାନକୁ ଆଗକୁ ବଢ଼ାଇଛି।

 

You might also like