ସୋନିଆଙ୍କ ପ୍ରଶ୍ନ: ଯଦି ଚୀନ ଅନୁପ୍ରବେଶ କରିନି, ଆମ ଯବାନ ସହିଦ ହେଲେ କେମିତି ?

ନୂଆଦିଲ୍ଲୀ: ଚାଇନା ସହିତ ଆମ ସୀମା ସୁରକ୍ଷା ଦାୟିତ୍ୱରୁ କେନ୍ଦ୍ର ସରକାର ଏମିତି ଖସିଯାଇ ପାରିବେନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଦାଖ ପରିସ୍ଥିତି ସମ୍ପର୍କରେ ଦେଶକୁ ନିହାତି ଅବଗତ କରିବା ଦରକାର। ଆଜି ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଏପରି ଟାର୍ଗେଟ୍ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି।

ସହିଦ ୨୦ ଯବାନ ସମ୍ମାନରେ କଂଗ୍ରେସ ପକ୍ଷରୁ ଜାରି ହୋଇଥିବା ଏକ ଭିଡିଓରେ ସୋନିଆ କେନ୍ଦ୍ରକୁ ସେଇ ଏକା ପ୍ରଶ୍ନ ପୁଣିଥରେ ପଚାରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଦାବି ଅନୁସାରେ, ଯଦି ଚାଇନା ଆମ ସୀମା ଦଖଲ କରିନାହିଁ, ତେବେ କାହିଁକି ଆମର ଯବାନ ସହିଦ ହେଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

ଭିଡିଓରେ ସେ କହିଛନ୍ତି  “ ଆଜି ଯେତେବେଳେ ଭାରତ-ଚୀନ୍ ସୀମାରେ ଉତ୍ତେଜନା ପରିସ୍ଥିତି ଉପୁଜିଛି, ଏଭଳି ସମୟରେ, କେନ୍ଦ୍ର ସରକାର ତାଙ୍କ ଦାୟିତ୍ୱରୁ ଖସିଯାଇ ପାରିବେନି। ପ୍ରଧାନମନ୍ତ୍ରୀଙ୍କ କହିବାନୁସାରେ ଯଦି ଚାଇନା ଆମର ସୀମାଞ୍ଚଳ ଦଖଲ କରିନାହିଁ, ତେବେ କାହିଁକି ଆମର ୨୦ ଯବାନ ସହିଦ ହେଲେ ?”

ଲଦାଖ ସୀମାରେ ସହିଦ ଯବାନଙ୍କ ସମ୍ମାନାର୍ଥେ କଂଗ୍ରେସ ଆରମ୍ଭ କରିଥିବା ‘ସ୍ପିକ୍‌ ଅପ୍‌ ଫର ଆୱର ଜୱାନ’ ଅଭିଯାନରେ ଭିଡିଓ ଜାରି କରି ସରକାରଙ୍କୁ ଏପରି ପ୍ରଶ୍ନ କରିଥିଲେ ସୋନିଆ।

ସେ ଆହୁରି ମଧ୍ୟ କହିଥିଲେ ଯେ ଚୀନ ସେନା ସୀମାରେ ଅନୁପ୍ରବେଶ କରି ନାହିଁ ବୋଲି ପ୍ରଧାନମନ୍ତ୍ରୀ କହୁଛନ୍ତି, କିନ୍ତୁ ସାଟେଲାଇଟ୍‌ ଚିତ୍ର ଦେଖିବା ପରେ ସୀମାରେ ଚୀନ ଅନୁପ୍ରବେଶ କରିଛି ବୋଲି ଏକ୍ସପର୍ଟମାନେ କହୁଛନ୍ତି। ତେଣୁ ମୋଦି ସରକାର କେବେ ଓ କେମିତି ଚାଇନା ଠାରୁ ଆମ ସୀମା ଫେରାଇ ଆଣିବେ ବୋଲି ପ୍ରଶ୍ନ କରିଛନ୍ତି ସୋନିଆ।

ସତରେ କ’ଣ ଲଦାଖରେ ଚୀନ୍ ଦ୍ୱାରା ଆମର ଆଞ୍ଚଳିକ ଅଖଣ୍ଡତା ଉଲ୍ଲଂଘନ ହେଉଛି? ଏନେଇ ପ୍ରଧାନମନ୍ତ୍ରୀ ବୋର୍ଡର ସ୍ଥିତି ସମ୍ପର୍କରେ ଦେଶବାସୀଙ୍କୁ ସ୍ପଷ୍ଟ କରନ୍ତୁ ବୋଲି ସୋନିଆ ଦାବି କରିବା ସହିତ ଏହି ସମୟରେ ସରକାର ସେନାକୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହିତ ବଳ ଦେବା ଉଚିତ୍‌। ତାହା ହିଁ ପ୍ରକୃତ ଦେଶପ୍ରେମ ହେବ ବୋଲି ସୋନିଆ କହିଛନ୍ତି।

You might also like