ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ଗୋରଖପୁରରୁ କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ)ର ଶୁଭାରମ୍ଭ କରିଛନ୍ତି।

ଏହି ଯୋଜନାରେ ଚାଷୀଙ୍କୁ ୩ଟି କିସ୍ତିରେ ବାର୍ଷିକ ୬୦୦୦ ଟଙ୍କା ସହାୟତା ମିଳିବ। ଏହାଦ୍ୱାରା ଚାଷୀମାନେ ଲାଭାନ୍ୱିତ ହେବେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

୨୦୧୯-୨୦ ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ରେ ଏନେଇ ଘୋଷଣା ହୋଇଥିବାବେଳେ, ଆଜିଠାରୁ ଏହାକୁ ଲାଗୁ କରାଯାଇଛି। ଫଳରେ ସରକାରଙ୍କୁ ଏ ଯୋଜନା ବାବଦରେ ୭୫ ହଜାର କୋଟି ଟଙ୍କାର ଖର୍ଚ୍ଚ ସହିବାକୁ ପଡ଼ିବ।

ଆଜି ୧ କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ପ୍ରଥମ କିସ୍ତିରେ ୨୦୦୦ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ଏହି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ପଠାଯାଇଛି। ତେବେ ଆଉ ୧ କୋଟି ଚାଷୀଙ୍କୁ ୨ ରୁ ୩ ଦିନ ମଧ୍ୟରେ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।

ଏହି ଯୋଜନାରେ ଦେଶର ୧୨ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ ବୋଲି ବଜେଟ୍‌ ଉପସ୍ଥାପନ ଅବସରରେ ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍‌ କହିଥିଲେ।

You might also like