’ନାୟକ ସାର ଦେଶ ପାଇଁ ଅନେକ ନାୟକ ସୃଷ୍ଟି କରନ୍ତୁ’: ମନ କି ବାତରେ ଓଡ଼ିଆ ଯୁବକଙ୍କୁ ମୋଦିଙ୍କ ପ୍ରଶଂସା

ସେନାରେ ଭର୍ତ୍ତି ପାଇଁ ଯୁବକଙ୍କୁ ମାଗଣା ଟ୍ରେନିଂ ଦେଉଛନ୍ତି ଜଗତସିଂହପୁରର ସିଲୁ ନାୟକ

ନୂଆଦିଲ୍ଲୀ: ଓଡ଼ିଆ ଯୁବକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜଗତସିଂହପୁର ଯୁବକ ସିଲୁ ନାୟକଙ୍କ ଉଦ୍ୟମକୁ ଭୁରି ଭୁରି ପ୍ରଶଂସା କରାଯାଇଛି । ଚାକିରି ଛାଡ଼ି ଯୁବକଙ୍କୁ ମାଗଣାରେ ଆର୍ମି ଟ୍ରେନିଂ ଦେଉଥିବା ୨୮ବର୍ଷୀୟ ଯୁବକକୁ ଆଜି ମନେ ପକାଇବା ସହ ଜଣେ ନିସ୍ୱାର୍ଥପର ମଣିଷର ତ୍ୟାଗକୁ ସେ ସଲାମ ଜଣାଇଛନ୍ତି।  ନାୟକ ସାର ଦେଶ ପାଇଁ ଅନେକ ନାୟକ ସୃଷ୍ଟି କରନ୍ତୁ ବୋଲି ମଧ୍ୟ କହିଛନ୍ତି ମୋଦି। ଶିକ୍ଷିତ ଯୁବକମାନଙ୍କୁ ଭାରତୀୟ ସେନାବାହିନୀ ଏବଂ ପୋଲିସରେ ଭର୍ତ୍ତି କରିବା ଉଦ୍ଦେଶ୍ୟରେ  ଦେବୀ ନଦୀକୂଳରେ ମହାଗୁରୁ ବାଟାଲିଅନ ପ୍ରତିଷ୍ଠା କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ଓଡ଼ିଆ ଯୁବକ।

ମୋଦି କହିଛନ୍ତି, ମହତ ଉଦ୍ଦେଶ୍ୟ ରଖି ନାୟକ ସାର୍ ତିଆରି କରିଛନ୍ତି ମହାଗୁରୁ ବାଟାଲିଆନ। ଆଉ ଏଠାରେ ଶାରିରୀକ ଦକ୍ଷତା ଠାରୁ ଆରମ୍ଭ କରି ସାକ୍ଷାତକାର ପର୍ଯ୍ୟନ୍ତ ଓ ଲେଖାଲେଖି ଠାରୁ ଆରମ୍ଭ କରି ପ୍ରଶିକ୍ଷଣ ପର୍ଯ୍ୟନ୍ତ ସବୁ କିଛି ମାଗଣାରେ ପ୍ରଦାନ କରାଯାଉଛି। ସିଲୁ ନାୟକଙ୍କ ଠାରୁ ପ୍ରଶିକ୍ଷଣ ପାଇ ସ୍ଥଳ, ଜଳ, ନୌସେନା ଓ ଅର୍ଦ୍ଧସାମରିକ ବାହିନୀରେ ଅନେକ ଯୁବକ ଯୋଗ ଦେଇ ସାରିଛନ୍ତି। ନିଜ ପ୍ରଶିକ୍ଷଣ ଦମରେ ଅନେକ ଯୁବକଙ୍କୁ ଦେଶର ସେବା ପାଇଁ ତି କରିବା ପାଇଁ ପ୍ରସ୍ତୁତ କରିଛନ୍ତି ନାୟକ ସାର୍ । ତେବେ ସମସ୍ତେ ମିଶି ଆସନ୍ତୁ ନାୟକ ସାରଙ୍କୁ ଶୁଭକାମନା ଜଣାଇବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ଜଗତସିଂହପୁର ଜିଲ୍ଳା ନାଉଗାଁ ଥାନା ଅନ୍ତର୍ଗତ ଅରଖକୁଦ ଗ୍ରାମର ସିଲୁ ନାୟକ  ୨୦୧୬ ମସିହା ଠାରୁ ବାଟାଲିଅନ ପ୍ରତିଷ୍ଠା କରି ନାଉଗାଁ,ବାଲିକୁଦା ପ୍ରଭୃତି ଅଞ୍ଚଳର ଯୁବକମାନଙ୍କୁ ପ୍ରଶିକ୍ଷଣ ଦେଇ ଆସୁଛନ୍ତି ।  ପିଲାଟି ଦିନରୁ ତାଙ୍କର ସମାଜ ପାଇଁ କିଛି କରିବାର ତାଙ୍କର ଅଭିଳାଷ ଥିଲା। ମାତ୍ର ୨୩ ବର୍ଷ ବୟସରେ ସେ ରାଉରକେଲାରେ ପୋଲିସ୍ ଟ୍ରେନିଂ ନେଉଥିଲେ। ଫିଜିକାଲ ଟେଷ୍ଟ ସମୟରେ ଅନେକ ଭଲ ପିଲା ବିଫଳ ହେଉଥିବା ତାଙ୍କ ମନକୁ ଆନ୍ଦୋଳିତ କରିଥିଲା। ଫଳରେ ସେ ଟ୍ରେନିଂ ଅଧାରୁ ଘରକୁ ପଳାଇ ଆସି ଅରଖକୁଦ ଦେବୀ ନଦୀ କୂଳରେ ପ୍ରତିଷ୍ଠା କଲେ ମହାଗୁରୁ ବାଟାଲିଅନ। ଆଉ ଏବେ ପ୍ରାୟ ୫ ବର୍ଷ ଧରି ସକାଳେ ଓ ଅପରାହ୍ନରେ ବିନା ମୂଲ୍ୟରେ ନାଉଗାଁ ବ୍ଲକ ଏବଂ ଆଖପାଖ ଅଞ୍ଚଳର ଯୁବକ ମାନଙ୍କୁ ହାଇଜମ୍ପ, ଲଙ୍ଗଜମ୍ପ, ଦୈାଡ ପ୍ରଭୃତି ପ୍ରଶିକ୍ଷଣ ପ୍ରଦାନ କରି ଆସୁଛନ୍ତି ସିଲୁ । ତାଙ୍କ ଠାରୁ ପ୍ରଶିକ୍ଷଣ ପାଇ ଅନେକ ଯୁବକ ସେନାରେ ଚାକିରି କରିସାରିଛନ୍ତି।

You might also like