ବୋଗିବିଲ୍ ଡବଲ୍ ଡେକର୍ ବ୍ରିଜ୍ ଉଦ୍‌ଘାଟିତ

ଦିସପୁର: ଆସାମରେ ଉଦ୍‌ଘାଟିତ ହେଲା ବହୁ ପ୍ରତିକ୍ଷୀତ ବୋଗିବିଲ୍‌ ବ୍ରିଜ୍‌। ଆଜି ଏହି ବ୍ରିଜର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଦିବ୍ରୁଗଡ଼ ନିକଟ ବୋଗିବିଲରେ ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ଏହି ଡବଲ ଡେକର୍ ବ୍ରିଜର ଲମ୍ବ ହେଉଛି ୪ କିଲୋମିଟର ୯୪୦ ମିଟର। ୫ ହଜାର ୯୦୦କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ଏହି ବ୍ରିଜ୍ ଭାରତର ସବୁଠାରୁ ଲମ୍ବା ରେଳ ରୋଡ୍ ବ୍ରିଜରେ ପରିଣତ ହୋଇଛି।

ଏହି ବ୍ରିଜ୍‌ ଦ୍ୱାରା ବ୍ରହ୍ମପୁତ୍ର ନଦୀର ଉତ୍ତର ଏବଂ ଦକ୍ଷିଣ ପ୍ରାନ୍ତ ସଡ଼କ ମଧ୍ୟରେ ସଂଯୋଗ ହେବ। ବିଶେଷ କରି  ଅରୁଣାଚଳ ପ୍ରଦେଶକୁ ଯିବାକୁ ଆହୁରି ସୁବିଧା ହେବ। ବ୍ରିଜର ବିଶେଷତ୍ୱ ହେଉଛି ଏଥିରେ ଟ୍ରେନଲାଇନ୍‌ ଏବଂ ଗାଡ଼ି ଚଳାଚଳ ପାଇଁ ରାସ୍ତା ରହିଛି।

ବ୍ରିଜର ତଳଭାଗରେ ଦୁଇଟି ରେଳ ଲାଇନ ଥିବାବେଳେ ଉପରେ ୩ ଲେନ୍ ବିଶିଷ୍ଟ ରାସ୍ତା ରହିଛି। ଏଥିରେ ତଳେ ଟ୍ରେନ୍‌ ଓ ଉପର ରାସ୍ତାରେ ଗାଡ଼ି ଚଲାଚଳ କରିବ। ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଏହି ବ୍ରିଜ୍ ଅନେକ ସହାୟକ ହେବ। ରୋଡ୍ ବ୍ରିଜ୍‌ରେ ସେନାର ଓଜନଦାର ଟ୍ୟାଙ୍କ ମଧ୍ୟ ଯାତାୟତ କରିପାରିବ। ଏହାଦ୍ୱାରା ଭାରତ-ଚୀନ ସୀମାରେ ଯୁଦ୍ଧ ଉପକରଣ ପହଞ୍ଚାଇବାକୁ କମ ସମୟ ଲାଗିବ।

୧୯୯୭-୯୮ ଆର୍ଥିକ ବର୍ଷରେ ଏହି ବ୍ରିଜର ଶିଳାନ୍ୟାସ କରାଯାଇଥିଲା। ଦୀର୍ଘ ୨୧ ବର୍ଷ ପରେ ବ୍ରିଜ୍ ପ୍ରସ୍ତୁତ ହୋଇ ଠିଆ ହୋଇଛି। ତତ୍କାଳୀନ ପ୍ରଧାନମନ୍ତ୍ରୀ ଏଚ. ଡି . ଦେବେଗୌଡ଼ା ଏହି ବ୍ରିଜର ଶିଳାନ୍ୟାସ କରିଥିଲେ।  ୨୦୦୨ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହାର କାମ ଆରମ୍ଭ କରିଥିଲେ।  ବାଜପେୟୀଙ୍କ ଜନ୍ମ ଦିନ ଅବସରରେ ଏହି ବ୍ରିଜ୍‌ ଉଦ୍‌ଘାଟିତ ହୋଇଛି।

 

You might also like