ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀରେ ବାଜପେୟୀଙ୍କୁ ଏମିତି ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଆଜି ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ତାଙ୍କ ସମାଧି ପୀଠକୁ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ପ୍ରମୁଖ ଶ୍ରଦ୍ଧା ସୁମନ ଜଣାଇଛନ୍ତି।
ଏହା ବ୍ୟାତୀତ ସୋସିଆଲ୍ ମିଡିଆରେ ବି ଅଟଳଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୋଦି। ସେ ଟ୍ୱିଟ୍ରରେ ଏକ ଫଟୋଇ ଓ ସ୍ୱର ସମ୍ଭଳିତ ଏକ ଛୋଟ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ବାଜପେୟୀଙ୍କ କବିତାର ଦୁଇ ଲାଇନ୍ ମଧ୍ୟ ସ୍ଥାନିତ ହୋଇଛି। ଏହି ଭିଡିଓରେ ମୋଦି ବାଜ୍ପେୟୀଙ୍କ ବ୍ୟକ୍ତିତ୍ୱର ପ୍ରଶଂସା କରିବା ସହିତ ତାଙ୍କୁ ଆଦରାଞ୍ଜଳି ଜ୍ଞାପନ କରୁଛି ବୋଲି କହିଛନ୍ତି।
Tributes to beloved Atal Ji on his Punya Tithi. India will always remember his outstanding service and efforts towards our nation’s progress. pic.twitter.com/ZF0H3vEPVd
— Narendra Modi (@narendramodi) August 16, 2020
୨୦୧୮ ମସିହା ଆଜିର ଦିନରେ ଦିଲ୍ଲୀ ଏମସ୍ରେ ବାଜପେୟୀଙ୍କ ପରଲୋକ ହୋଇଥିଲା। ଅଟଳ ବିହାରୀ ବାଜପେୟୀ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ରହିଥିଲେ। ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା ତଥା ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଭାବେ ଅଟଳଜୀଙ୍କୁ ଲୋକେ ମନେ ରଖିଛନ୍ତି। ଭାରତୀୟ ରାଜନୀତିରେ ସେ ଜଣେ ଏଭଳି ନେତା ଥିଲେ, ସେ କେବେ ବି ଦଳଗତ ରାଜନୀତି ଉପରେ ବିଶ୍ୱାସ କରୁନଥିଲେ। ସମସ୍ତ ଦଳର ନେତାଙ୍କ ସହ ତାଙ୍କର ଭଲ ସଂପର୍କ ଥିଲା।