ଲକ୍‌ଡାଉନ୍‌: ରାଜ୍ୟ ସରକାରଙ୍କୁ ବ୍ଲୁ ପ୍ରିଣ୍ଟ୍‌ ମାଗିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ପରବର୍ତ୍ତୀ ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ଲୁ ପ୍ରିଣ୍ଟ ମାଗିଛନ୍ତି। ଲକ୍‌ଡାଉନ୍‌ ଉଠିବା ପରେ ଦେଖା ଦେବାକୁ ଥିବା ଚାଲେଞ୍ଜର ମୁକାବିଲା ଲାଗି ନିଜ ନିଜର ରଣନୀତି ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ। ଆସନ୍ତା ୧୫ ତାରିଖ ସୁଦ୍ଧା ଏହା ଦେବା ଲାଗି ଗତକାଲି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭି଼ଡିଓ କନଫରେନ୍ସିଂରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦି ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀମାନଙ୍କ ସହ ପଞ୍ଚମ ଭର୍ଚୁଆଲ୍ ‌ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ପୁଣି ଥରେ ଦୋ ଗଜ୍ ଦୂରି ବା ଦୁଇ ଗଜ୍‌ର ଦୂରତା ଉପରେ ଗୁରୁତ୍ୱ ଦେଇଛନ୍ତି। ସେହିପରି ଅଧିକାଂଶ ମୁଖ୍ୟମନ୍ତ୍ରୀ ରାତ୍ରୀ କାଳୀନ କର୍ଫ୍ୟୁ ବଜାୟ ରଖିବା ଉପରେ ମତ ପ୍ରକାଶ କରିଥିବା ଜଣାପଡ଼ିଛି।

ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଲକ୍‌ଡାଉନ୍‌ ସମୟରେ ଲୋକମାନେ ଯେଉଁଠାରେ ଅଛନ୍ତି ସେଠାରେ ରହିବା ଉପରେ ଆମେ ଅଧିକ ଗୁରୁତ୍ୱ ଦେଉଥିଲୁ। ତେବେ ନିଜ ଘରକୁ ଫେରିବା ଲୋକମାନେ ଇଚ୍ଛା ପ୍ରକାଶ କରିଥିଲେ। ଆଉ ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ। ଏଥିପାଇଁ ଆମକୁ କଟକଣା ନିୟମରେ ପରିବର୍ତ୍ତନ କରିବାକୁ ପଡିଥିଲା। ଏହାସତ୍ତ୍ୱେ ଗ୍ରାମାଞ୍ଚଳରେ କୋଭିଡ ସଂକ୍ରମଣ ଯେଭଳି ନ ବ୍ୟାପିବ ସେଥିପ୍ରତି ଦୃଷ୍ଟି ଦେବାକୁ ପଡିବ। ଏହା ଆମ ପାଇଁ ଚାଲେଞ୍ଜ ବୋଲି ମୋଦି କହିଛନ୍ତି।

ବର୍ତ୍ତମାନ ଭଳି ଆଗକୁ କେନ୍ଦ୍ର ଓ ରାଜ୍ୟ ଆଗକୁ ଏକାଠି ହୋଇ ଲଢେଇ ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ଗତକାଲି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭି଼ଡିଓ କନଫରେନ୍ସିଂରେ ଗୃହ ମନ୍ତ୍ରୀ ଅମିତ୍ ଶାହ, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ। 

You might also like