ଆଉ କିଛି ସମୟ ପରେ ଡାକ୍ତରଙ୍କ ସହ କଥା ହେବେ ମୋଦି

କଣ କହିବେ ମୋଦି?

ନୂଆଦିଲ୍ଲୀ: ସଂକ୍ରମଣ ଥମିବାରେ ନା ନେଉନାହିଁ। ଦେଶରେ ଲାଗାତର ଭାବରେ ରେକର୍ଡ ପରେ ରେକର୍ଡ କରିଚାଲିଛି କରୋନା। ସଂକ୍ରମଣର ହାର ଓ ମୃତ୍ୟୁ ସଂଖ୍ୟା ବଢିଚାଲିଥିବାରୁ ଏବେ ସମସ୍ତେ ଚିନ୍ତାରେ ଅଛନ୍ତି। ଏହାରି ମଧ୍ୟରେ ଆଉ କିଛି ସମୟ ପରେ ଡାକ୍ତରଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ପ୍ରଥମେ ଅପରାହ୍ନ ୪.୩୦‌ରେ ‌ବରିଷ୍ଠ ଡାକ୍ତରମାନଙ୍କ ସହ କଥା ହେବା ପରେ  ସଂଧ୍ୟା ୬ଟାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଔଷଧ କମ୍ପାନିଗୁଡ଼ିକ ସହ କଥା ହେବେ ବୋଲି ସୂଚନା ମିଳିଛି। ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଅକ୍ସିଜେନ୍‌ ସପ୍ଲାଏ ଓ ରେମିଡିସିଭିର୍‌ ପରି କରୋନା ଔଷଧର ଅଭାବକୁ ନେଇ କେନ୍ଦ୍ରରେ ଅଭିଯୋଗ କରିବା ପରେ ପ୍ରଧାନମନ୍ତ୍ରୀ ଜରୁରୀକାଳୀନ ମିଟିଂ ଡାକିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏହାସହ କରୋନାକୁ ନେଇ ପ୍ରଧାନମନ୍ତ୍ରୀ ଲଗାତାର ସମୀକ୍ଷା କରୁଛନ୍ତି।

ସେପଟେ ମହାରାଷ୍ଟ୍ର ଓ ଦିଲ୍ଲୀରେ ରେକର୍ଡ ଭାଙ୍ଗିଛି କରୋନା । ଦିନକରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଉଭୟ ରାଜ୍ୟରେ ବଢିଚାଲିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୬୮ ହଜାର ୬୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୦୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଗତକାଲି ଦିଲ୍ଲୀରେ ୨୫ ହଜାର ୪୬୨ ନୂଆ କେସ୍  ଚିହ୍ନଟ ହୋଇଛନ୍ତି । କେବଳ ଦିଲ୍ଲୀରେ ୧୬୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଏହି ଦୁଇ ରାଜ୍ୟରେ ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ସର୍ବାଧିକ । ୨୦୧୯ରୁ ଆଜି ଯାଏଁ ଏତେ ସଂଖ୍ୟାରେ ଆକ୍ରାନ୍ତ ଦିନକରେ କେବି ବି ଚିହ୍ନଟ ହୋଇନଥିଲେ । ବଢ଼ୁଥିବା ଆକ୍ରାନ୍ତଙ୍କ ମଧ୍ୟରେ ହସ୍ପିଟାଲରେ ବେଡ୍ ଓ ଅକ୍ସିଜେନ୍ ନିଅଣ୍ଟ ମୁଖ୍ୟ ସମସ୍ୟା ପାଲଟିଛି।  ଗତକାଲି ଉଭୟ ରାଜ୍ୟ ସରକାର କେନ୍ଦ୍ର ପାଖରେ ଅଧିକରୁ ଅଧିକ ଅକ୍ସିଜେନ୍ ସିଲିଣ୍ଡର ଓ ରେମଡେସିଭିର୍ ଔଷଧ ପହଞ୍ଚାଇବାକୁ ଅନୁରୋଧ କରିଛନ୍ତି ।

ଏପଟେ କରୋନା ମୁକାବିଲା ଲାଗି କେନ୍ଦ୍ର ସରକାର ମଧ୍ୟ ଅଂଟା ଭିଡିଛନ୍ତି। କୋଭିଡ୍‌ ରୋଗୀଙ୍କ ଦେଖାଶୁଣା ପାଇଁ ୪୦୦୨ଟି ରେଲ୍‌ୱେ କୋଚ୍‌କୁ ରେଳ ବିଭାଗ ସମ୍ପୂର୍ଣ୍ଣ ଭାବରେ କୋଭିଡ୍‌ କେୟାର କୋଚ୍ ଭାବେ ପରିବର୍ତ୍ତନ କରିଥିବା ବେଳେ କରୋନା ଲଢ଼େଇରେ ଭାରତୀୟ ରେଲ୍‌ୱେର ପୁଣି ଏକ ଯୋଗଦାନ। ବିଭିନ୍ନ ସ୍ଥାନରେ ଚିକିତ୍ସାଧୀନ କରୋନା ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ୍ ଅଭାବ ଦେଖାଦେଉଥିବା ବେଳେ, ଏହି ସମସ୍ୟାର ସମାଧାନ ପାଇଁ ‘ଅକ୍ସିଜେନ୍ ଏକ୍ସପ୍ରେସ୍’ ଟ୍ରେନ୍ ଚଳାଚଳ କରିବା ପାଇଁ ରେଳ ବିଭାଗ ପ୍ରସ୍ତୁତ ହୋଇଛି। ଏନେଇ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

You might also like