ମାଗଣା ନୁହେଁ, ଟଙ୍କା ଦେଲେ ମୋଦିଙ୍କ ମନ୍ତ୍ରୀଙ୍କୁ ମିଳିବ କରୋନା ଟିକା

ନୂଆଦିଲ୍ଲୀ: ମୋଦି ମନ୍ତ୍ରୀଙ୍କୁ ମିଳିବନି ମାଗଣା କରୋନା ଟିକା। ଟଙ୍କା ଦେଇ ଟିକା ନେବେ ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟ୍ ମନ୍ତ୍ରୀ। ମହାମାରୀ ସଙ୍କଟ ମଧ୍ୟରେ ଦେଶରେ ଜୋରସୋର ଚାଲିଛି ଟିକାକାରଣ କାମ। ଏବେ ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଭ୍ୟାକ୍ସିନ ଦିଆଯାଉଛି। ମାର୍ଚ୍ଚ ପହିଲାରୁ ବୟସ୍କକଙ୍କୁ ମାଗଣା ଟିକା ଦିଆଯିବ। ଆଉ ଏହି ସମୟରେ ବଡ଼ ବୟାନ୍ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ।  ସେ କରିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି କ୍ୟାବିନେଟର ସମସ୍ତଙ୍କ ମନ୍ତ୍ରୀଙ୍କୁ କରୋନା ଭ୍ୟାକ୍ସିନ ପାଇଁ ମୂଲ୍ୟ ଦେବାକୁ ପଡ଼ିବ। ସମସ୍ତ ମନ୍ତ୍ରୀ ଟୀକାର ଖର୍ଚ୍ଚ ନିଜେ ବହନ କରିବେ।

ସୂଚନାଯୋଗ୍ୟ ଆଜି ଭାରତ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ମାର୍ଚ୍ଚ ପହିଲାରୁ ବୟସ୍କମାନଙ୍କୁ ଟିକାକରଣ ଆରମ୍ଭ ହେବ ବୋଲି ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର। ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ କରୋନା ଟିକାକରଣ କରାଯିବ। ବହୁବିଧ ରୋଗାକ୍ରାନ୍ତ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ବି ଟିକାକରଣ କରାଯିବ। ୧୦ ହଜାର ସରକାରୀ ଓ ୨୦ ହଜାର ଘରୋଇ କେନ୍ଦ୍ରରେ ଟିକାକରଣ କରାଯିବ। ସରକାରୀ କେନ୍ଦ୍ରରେ ଟିକା ମାଗଣାରେ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି। ଘରୋଇ କେନ୍ଦ୍ରରେ ଟିକା ଦେବା ପାଇଁ ନିର୍ଦ୍ଦିଷ୍ଟ ଅର୍ଥ ଦେବାକୁ ପଡ଼ିବ। ତେବେ କେତେ ଟଙ୍କା ଦେବାକୁ ପଡ଼ିବ, ୩/୪ ଦିନ ମଧ୍ୟରେ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି।

ସାରା ଦେଶରେ ୧୬ ଜାନୁୟାରୀ ଠାରୁ ଆରମ୍ଭ ହୋଇଯାଇଛି ଟିକାରଣ ଅଭିଯାନ। ପ୍ରଥମ ପର୍ଯ୍ୟାୟରେ ସମ୍ମୁଖ ଯୋଦ୍ଧାକୁ ଦିଆଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବୟସ୍କ ଲୋକଙ୍କୁ ଭ୍ୟାକ୍ସିନ ଦିଆଯିବ। ସ୍ୱାସ୍ଥ୍ୟମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ପରିସଂଖ୍ୟାନ ଅନୁଯାୟୀ ଆଜି ସୁଦ୍ଧା ସାରା ଦେଶରେ  ୧,୨୧,୬୫,୫୯୮ ଲୋକଙ୍କୁ କରୋନା ଟିକା ଦଆଯାଇଛି।

You might also like