କେରଳ ବନ୍ୟା ପାଇଁ ୫ଶହ କୋଟି ଟଙ୍କା ସହାୟତା ରାଶି ଘୋଷଣା କଲେ ମୋଦି

ଥିରୁଅନନ୍ତପୁରମ୍‌: କେରଳ ବନ୍ୟା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଶହ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ମୃତକଙ୍କ ପରିବାର ପ୍ରତି ୨ ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଏହି ସହାୟତା ଦିଆଯିବ। ଏହା ପୂର୍ବରୁ ଅଗଷ୍ଟ ୧୨ରେ ଗୃହମନ୍ତ୍ରୀ ରାଜନାଥ ସିଂ ୧୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ। ସେହିପରି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ମଧ୍ୟ ୧୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।

ଆଜି ଆକାଶ ମାର୍ଗରୁ ପ୍ରଧାନମନ୍ତ୍ରୀ ମୋଦି କେରଳର ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଥିଲେ। ତାଙ୍କ ସହିତ କେରଳ ମୁଖ୍ୟମନ୍ତ୍ରୀ ପୀନରାୟୀ ବିଜୟନ୍‌ ମଧ୍ୟ ସ୍ଥିତି ସମୀକ୍ଷା କରିଥିଲେ।

ସେପଟେ ୧୦୦ ବର୍ଷ ମଧ୍ୟରେ କେରଳରେ ସବୁଠାରୁ ଭୟଙ୍କର ବନ୍ୟା ହୋଇଥିବାରୁ ଏହାକୁ ଜାତୀୟ ବିପର୍ଯ୍ୟୟ ଭାବେ ଘୋଷଣା କରିବାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦାବି କରିଛନ୍ତି। ବର୍ତ୍ତମାନ ସୁଦ୍ଧା ବର୍ଷା ଓ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୩୨୪ରେ ପହଞ୍ଚିଛି।

ରାଜ୍ୟର ୧୩ଟି ଜିଲ୍ଲାରେ ରେଡ୍ ଆଲର୍ଟ ଘୋଷଣା କରାଯାଇଛି। ସେପଟେ ପୁଣିଥରେ ବର୍ଷା ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।   ସଡକ, ରେଳପଥ ସହ କୋଚି ବିମାନ ବନ୍ଦର ମଧ୍ୟ ଜଳମୟ ହୋଇପଡ଼ିଛି। ସୁରକ୍ଷା ଦୃଷ୍ଟିରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ କୋଚି ବିମାନ ବନ୍ଦରରୁ ବିମାନ ଚଳାଚଳ ବନ୍ଦ କରାଯାଇଛି। ସେନା ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଅଗ୍ନିଶମ ବିଭାଗ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

You might also like