ଆତ୍ମନିର୍ଭରଶୀଳ ଭାରତ ଅଭିଯାନ: ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା କବଳିତ ଭାରତ ପାଇଁ ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବଡ଼ ଘୋଷଣା କରିଛନ୍ତି।

କରୋନା ମାଡ଼ରେ ଦୋହଲିଯାଇଥିବା ଦେଶର ଅର୍ଥନୀତି ଓ ଆର୍ଥିକ ଦୁରାବସ୍ଥାରେ ସୁଧାର ଆଣିବାକୁ ଏହି ବୃହତ ପ୍ୟାକେଜର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଆର୍ଥିକ ସହାୟତା ଦେଶର ମୋଟ ଘରୋଇ ଉତ୍ପାଦନର ପ୍ରାୟ ୧୦ ପ୍ରତିଶତ। ଏହି ଅର୍ଥ ଦେଶର କ୍ଷୁଦ୍ର ଓ କୁଟୀର ଶିଳ୍ପ କ୍ଷେତ୍ର, ଘରୋଇ ଉଦ୍ୟୋଗକୁ ବଳ ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେହିଭଳି ଗରିବ, ମଧ୍ୟବିତ୍ତ, କୃଷକ ଓ ଦେଶାନ୍ତର ଶ୍ରମିକଙ୍କୁ ଏହା ଆତ୍ମନିର୍ଭରଶୀଳ କରାଇବ। ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଯୋଜନାରେ ଏହି ଆର୍ଥିକ ପ୍ୟାକେଜ୍ ବଡ଼ ଭୂମିକା ରଖିବ ବୋଲି ମୋଦି କହିଛନ୍ତି। ସେହିଭଳି ଆଞ୍ଚଳିକ ସ୍ତରରେ ଉତ୍ପାଦନ ଓ ଆଞ୍ଚଳିକ ସ୍ତରରେ ଆତ୍ମନିର୍ଭଶୀଳତା ଉପରେ ଜୋର ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ଆଞ୍ଚଳିକାତ ଆମ ମନ୍ତ୍ର ହେବା ଦରକାର। ଏବଂ ଏଥିପ୍ରତି ଜନ ସମର୍ଥନତା ବଢ଼ିବା ଆବଶ୍ୟକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। କରୋନା ଓ ଲକଡାଉନ୍ ଭଳି ଦୁର୍ଯୋଗକୁ ସୁଯୋଗରେ ପରିବର୍ତ୍ତିତ କରିବା ପାଇଁ ସେ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି।

ତେବେ ଆଜି ଘୋଷଣା କରିଥିବା ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜର ବିସ୍ତୃତ ରୂପରେଖ ସମ୍ପର୍କରେ ଆସନ୍ତାକାଲିଠାରୁ ପର୍ଯ୍ୟାୟକ୍ରମେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେବେ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।

You might also like