ଦିଦିଙ୍କ ଗଡ଼ରେ ଆଜି ପୁଣି ବାଘ ପରି ଗର୍ଜନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ମୋଦି-ଦିଦି ମୁହାଁମୁହିଁ

ପଶ୍ଚିମବଙ୍ଗ: ପ୍ରଧାନମନ୍ତ୍ରୀ ମୋଦିଙ୍କ ମାରାଥନ ନିର୍ବାଚନ ପ୍ରଚାର ଚାଲିଛି। ପଶ୍ଚିମବଙ୍ଗ ପୁରୁଲିଆ ଓ ଆସାମ କରିମଗଞ୍ଜରେ ସାଧାରଣ ସଭାରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ। ପୁରୁଲିଆରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଥିବା ବେଳେ ଆସାମରେ କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦି। ସେପଟେ ଖଡଗପୁର ନିର୍ବାଚନ ରାଲିରେ ମୋଦିଙ୍କୁ ଜବାବ ଦେଇଛନ୍ତି ଦିଦି।

ଦିଦିଙ୍କ ଗଡ଼ରେ ପୁଣି ଥରେ ଗର୍ଜିଲେ ପ୍ରଧାନମନ୍ତ୍ରୀ। ଖେଲା ହବେକୁ ବିକାଶ ହବେ ସ୍ଲୋଗାନରେ କାଉଣ୍ଟର ବି କଲେ। ଆଜି ପଶ୍ଚିମବଙ୍ଗ ପୁରୁଲିଆରେ ନିର୍ବାଚନ ସଭା କରିବା ସହ ନିଯୁକ୍ତି, ଶିକ୍ଷା ଓ ବିକାଶର ନାରା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଛନ୍ତି ଖେଳ ଶେଷ ହେବ, ବିକାଶ ଆରମ୍ଭ ହେବ। ପିଇବା ପାଣି, ଜଳସେଚନ ଓ ଚାଷୀଙ୍କ ସମସ୍ୟା କଥା ଉଠାଇ ତୃଣମୂଳ କଂଗ୍ରେସ ସରକାର ଉପରେ ବର୍ଷିଛନ୍ତି ମୋଦି। ଏହି ଅସବରରେ ପଶ୍ଚିମବଙ୍ଗ ରାଜନୈତିକ ହିଂସାରେ ପ୍ରାଣ ହରାଇଥିବା ବିଜେପି କର୍ମୀଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ।

ତେବେ ଖଡଗପୁରରେ ମୋଦିଙ୍କୁ ଚ୍ୟାଂଲେଜ୍ ଦେଇଛନ୍ତି ମମତା। ଦିଦି ନିଜକୁ ଏକ ବାଘୁଣୀ କହିବା ସହ ସେ ଜନତାଙ୍କ ବ୍ୟତିତ କାହା ଆଗରେ ମୁଣ୍ଡ ନୁଆଁଇବେ ନାହିଁ ବୋଲି ସଫା ସଫା କହିଛନ୍ତି। ସେପଟେ ନନ୍ଦିଗ୍ରାମ ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ରାଲି ଚାଲିଥିବା ବେଳେ ତୃଣମୂଳ କଂଗ୍ରେସ କର୍ମୀ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପି ଯୁବମୋର୍ଚ୍ଚା ନେତାଙ୍କୁ ତାଙ୍କ ଆଖି ସାମ୍ନାରେ ଆକ୍ରମଣ କରାଯାଇଥିବା ଧର୍ମେନ୍ଦ୍ର କହିଛନ୍ତି। ସେ ଆହତଙ୍କୁ ହସପିଟାଲ ନେବା ସହ ରାଜ୍ୟରେ ଅର୍ଦ୍ଧସାମରିକ ବାହିନୀ ମୁତୟନ ଲାଗି ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି।

ପଶ୍ଚିମବଙ୍ଗ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମରେ ବି ନିର୍ବାଚନ ପ୍ରଚାର କରିଛନ୍ତି। କରିମଗଞ୍ଜରେ ଆୟୋଜିତ ରାଲିରେ ପ୍ରଧାନମନ୍ତ୍ରୀ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ଉପରେ ବର୍ଷିଥିଲେ। କଂଗ୍ରେସ ଭୋଟ୍ ପାଇଁ ଆସାମବାସୀଙ୍କୁ ଭାଗ ଭାଗ କରି ରଖିଥିଲା, ତେବେ ବିଜେପି ସେମାନଙ୍କୁ ଯୋଡିବା ଲାଗି ଉଦ୍ୟମ କରୁଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଏକ ଦୁର୍ବଳ ଦଳ ଦୃଢ ସରକାର ଦେଇପାରିବ ନାହିଁ ବୋଲି ସେ ରାଜ୍ୟବାସୀଙ୍କୁ ସତର୍କ କରାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ରାଲିରେ ଆସାମ ବିଜେପି ପ୍ରଭାରୀ ବୈଜୟନ୍ତ ପଣ୍ଡା, ମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ପ୍ରମୁଖ ମଂଚ ଉପରେ ଉପସ୍ଥିତ ଥିଲେ।

ତେବେ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ରାଜନନୈତିକ ବୟାନ ବାଜି ମଧ୍ୟ ସେତିକି ବଢୁଛି। ଉଭୟ ଉଭୟଙ୍କ ଉପରେ ଆରୋପ ଓ ପ୍ରତ୍ୟାରୋପ କରୁଛନ୍ତି। ହେଲେ ଭୋଟର କାହାକୁ ଭୋଟ୍‌ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

 

You might also like