ରାଜ୍ୟର ଅଧିକାରୀ ଓ ଫିଲ୍ଡ ଅଫିସରଙ୍କ ସହ ଆଜି କଥା ହେବେ ମୋଦି

କଣ କହିବେ ମୋଦି?

ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ ଆଜି ପ୍ରଧାନମନ୍ତ୍ରୀ ସମୀକ୍ଷା କରିବେ। ବିଭିନ୍ନ ରାଜ୍ୟର ଅଧିକାରୀ ଓ ଫିଲ୍ଡ ଅଫିସରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ମହାମାରୀ ମୁକାବିଲାରେ ସେମାନଙ୍କ ଅନୁଭୂତି ପଚାରି ବୁଝିବେ ପ୍ରଧାନମନ୍ତ୍ରୀ। ଆଜି ଦିନ ୧୧ଟାରେ ଏହି ବୈଠକ ରହିଛି। ପିଏମ୍ଓ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବୈଠକରେ କର୍ଣ୍ଣାଟକ, ବିହାର, ଆସାମ, ଚଣ୍ଡୀଗଡ଼, ତାମିଲନାଡୁ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଗୋଆ, ହିମାଚଳପ୍ରଦେଶ ଓ ଦିଲ୍ଲୀର ଅଧିକାରୀମାନେ ସାମିଲ ହେବେ। ଏହି ଅବସରରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ସହ ନିଜର ଅନୁଭୂତି ବାଣ୍ଟିବେ। କରୋନା ମୁକାବିଲା ପାଇଁ ଆଉ କି ପଦକ୍ଷେପ ନିଆଯାଇପାରିବ ସେ ନେଇ ନିଜର ମତାମତ ମଧ୍ୟ ଦେଇପାରିବେ। ସଂକ୍ରମଣ ରୋକିବା ଲାଗି କି ପଦକ୍ଷେପ ନିଆଯାଇପାରିବ ସେ ନେଇ ଅଧିକାରୀମନେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇବେ।

ତେବେ ଏଠାରେ କହିରଖୁଛୁ ଯେ, ଦୀର୍ଘଦିନ ପରେ ଦେଶରେ କମିଛି ସଂକ୍ରମଣ। ଗତକାଲି ୩ ଲକ୍ଷ ତଳେ ରହିଛି ସଂକ୍ରମିତଙ୍କ ସଂଖ୍ୟା। ଗତକାଲି ଦେଶରେ ୨ ଲକ୍ଷ ୮୧ ହଜାର ୩୮୬ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୪୯ ଲକ୍ଷ ୬୫ ହଜାର ୪୬୩ କୁ ବୃଦ୍ଧି ପାଇଛି। ଏହାସହ ଗତକାଲି ଦେଶରେ ୪୧୦୬ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ସାରା ଦେଶରେ ମୋଟ୍‌ କରୋନାଜନିତ ମୃତ୍ୟୁସଂଖ୍ୟା ୨,୭୪,୩୯୦କୁ ବୃଦ୍ଧି ପାଇଛି।

ଏପଟେ, ଦେଶରେ କରୋନା ସଂକ୍ରମଣ ପ୍ରଭାବ ସାମାନ୍ୟ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ଦୈନିକ କରୋନା ମୃତ୍ୟୁ ଯଦିଓ ୪ ହଜାର ଉପରେ ରହିଛି ତେବେ ଗତକାଲି ଦୀର୍ଘଦିନ ପରେ ଦୈନିକ ସଂକ୍ରମଣ ୩ ଲକ୍ଷ ତଳକୁ ଖସିଛି। ହେଲେ କରୋନାକୁ ନେଇ ଉତ୍ତରାଖଣ୍ଡରେ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟରେ ୯ ବର୍ଷରୁ କମ ବୟସର ପିଲାଙ୍କୁ ଗ୍ରାସ କରୁଛି ମହାମାରୀ କରୋନା ।ଏହି ବୟସର ପାଖାପାଖି ୧୦୦୦ ଶିଶୁ ଗତ ୧୦ ଦିନ ମଧ୍ୟରେ କରୋନା ସଂକ୍ରମିତ ହୋଇଛନ୍ତି। ଏପରି ତଥ୍ୟ ସାମ୍ନାକୁ ଆସିବା ପରେ ପ୍ରଶାସନର ଚିନ୍ତା ବଢି ଯାଇଛି। ଏମାନଙ୍କ ମଧ୍ୟରୁ କେତେଜଣ ଶିଶୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି।

ବିଶେଷଜ୍ଞମାନେ ଅନୁମାନ କରିଥିଲେ ଯେ, କରୋନାର ତୃତୀୟ ଲହରୀ ଶିଶୁମାନଙ୍କ ଉପରେ ଅଧିକ ପ୍ରଭାବ ପକାଇବ। ହେଲେ ଏହା ପୂର୍ବରୁ ଶିଶଙ୍କ ପାଇଁ ବିପଦ ସାଜିଛି କରୋନା। ଉତ୍ତରାଖଣ୍ଡରେ ସଂକ୍ରମିତ ଶିଶୁଙ୍କ ସଂଖ୍ୟା ଏକ ଚେତାବନୀ ଏବଂ ଏହାର ସମାଧାନ ପାଇଁ  ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛି ବିଶେଷଜ୍ଞ ଟିମ୍‌।

You might also like