ଦ୍ୱିତୀୟ ଫେଜରେ କୋଭିଡ ଟିକା ନେବେ ପ୍ରଧାନମନ୍ତ୍ରୀ !

ନୂଆଦିଲ୍ଲୀ:  ଦ୍ୱିତୀୟ ଫେଜ୍‌ରେ କୋଭିଡ୍ ଟିକା ନେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାର୍ଚ୍ଚ କିମ୍ବା ଏପ୍ରିଲରେ ଟିକାକରଣ ପାଇଁ ତାଙ୍କ ପାଳି ପଡ଼ିପାରେ । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏମିତିକି ୫୦ ବର୍ଷରୁ ଅଧିକ ବୟସ୍କ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ଟିକା ନେଇପାରନ୍ତି ।

ପୂର୍ବରୁ ସରକାରଙ୍କ ଗାଇଡ୍‌ଲାଇନ୍ ଅନୁଯାୟୀ ଦ୍ୱିତୀୟ ପର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ଓ ବହୁବିଧ ରୋଗରେ ପୀଡ଼ିତଙ୍କୁ କୋଭିଡ୍ ଟିକାକରଣ କରାଯିବ। ତେଣୁ ଏହି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଓ ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ପାଳି ପଡ଼ିପାରେ । ପୂର୍ବରୁ ମୁଖ୍ୟମନ୍ତ୍ରୀମାନଙ୍କ ସହ ଟିକା ସମୀକ୍ଷା ବେଳେ ନେତାମାନେ ଟିକା ନେବାକୁ ବ୍ୟସ୍ତ ନହେବାକୁ କି ନିୟମ ନ ଭାଙ୍ଗିବାକୁ ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ।

ଏହାସହ ନିଜ ପାଳି ଆସିବା ଯାଏଁ ଅପେକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ଦେଶରେ ୩ କୋଟି ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଉଛି । ଦ୍ୱିତୀୟ ପର୍ଯ୍ୟାୟରେ ୨୭ କୋଟି ଲୋକଙ୍କୁ ଟିକା ଦେବାକୁ ଯୋଜନା ରହିଛି। ଏହି ଫେଜ୍‌ରେ ୫୦ ବର୍ଷରୁ ଅଧିକ ଓ ବହୁବିଧ ରୋଗରେ ଆକ୍ରାନ୍ତଙ୍କୁ ଟିକା ଦିଆଯିବ।

ସୂଚନାଥାଉକି, ସାରା ଦେଶରେ ଶନିବାରଠାରୁ ଆରମ୍ଭ ହୋଇଛି ଟିକାକରଣ। ଓଡ଼ିଶାରେ ମଧ୍ୟ ଏ ନେଇ ଆରମ୍ଭ ହୋଇଛି ଟିକାକରଣ। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା  ଅନୁଯାୟୀ, ଆଜି ୫ମ ଦିନରେ ସର୍ବାଧିକ ଟିକାକରଣ କରାଯିବା ଲକ୍ଷ୍ୟ ରହିଛି।  ଆଜି ୪୩୬ ସେସନ୍‌ରେ ୩୭ ହଜାର ୭୬ ଟିକାକରଣ କରାଯିବ। ରାଜ୍ୟରେ ଏବେ ସୁଦ୍ଧା ୬୮ ହଜାର ୭୪୩ ଜଣଙ୍କୁ ଟିକା ଦିଆଯାଇଛି। ଭୁବନେଶ୍ୱରରେ ୫୮୪୯ ଜଣଙ୍କୁ ଟିକା ଦିଆଯାଇଛି। 

You might also like