ଅମ୍ପନ୍‌ ଦ୍ୱାରା କ୍ଷତିଗ୍ରସ୍ତ ପଶ୍ଚିମବଙ୍ଗକୁ ୧ ହଜାର କୋଟିର ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

କୋଲକାତା: ବାତ୍ୟା ଅମ୍ପନ୍‌ ଦ୍ୱାରା କ୍ଷତିଗ୍ରସ୍ତ ପଶ୍ଚିମବଙ୍ଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧ ହଜାର କୋଟିର ଅଗ୍ରୀମ ସହାୟତା ଘୋଷଣା କରିଛନ୍ତି। ଆଜି ପଶ୍ଚିମବଙ୍ଗ ଗସ୍ତରେ ଯାଇ ଆକାଶ ମାର୍ଗରୁ ବାତ୍ୟା ଅଞ୍ଚଳ ପରିଦର୍ଶନ କରିବା ପରେ ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।

କ୍ଷୟକ୍ଷତି ଆକଳନ ଓ ସମୀକ୍ଷା ପରେ ଏହି ଅଗ୍ରୀମ ଅର୍ଥ ରାଶି ଘୋଷଣା ହୋଇଛି। ଏହାସହ ଅମ୍ପନ୍ ଯୋଗୁ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି। ଏହାସହ ‌ଆହତଙ୍କୁ ୫୦ ହଜାର ଟଙ୍କା ସହାୟତ ପ୍ରଦାନ ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

କରୋନା ଓ ଏହା ସାଙ୍ଗକୁ ଅମ୍ପନ୍ ଯୋଗୁ‌ ଏବେ ପଶ୍ଚିମବଙ୍ଗରେ ପରିସ୍ଥିତି ପୂରାପୂରି ବିଗିଡ଼ି ଯାଇଛି। ଏହି ସମୟରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।ଲୋକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବା ସହ ସେମାନଙ୍କୁ ସହାୟତା ପ୍ରଦାନ କରିବାକୁ ସବୁବେଳେ କେନ୍ଦ୍ର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆଜି କୋଲକାତା ବିମାନ ବନ୍ଦରରେ ବାୟୁ ସେନାର ସ୍ୱତନ୍ତ୍ର ବିମାନରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ବାତ୍ୟା ବିପନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହାପରେ ‌ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା, କୋଲକାତା ପ୍ରଭୃତି ଅଞ୍ଚଳ ବୁଲିବା ସ୍ଥିତିର ସମୀକ୍ଷା କରିଥିଲେ।

ସୂଚନାଥାଉ କି, ଅମ୍ପନ୍‌ରେ ପଶ୍ଚିମବଙ୍ଗରେ ୮୦ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଲୋକଙ୍କ ଜୀବିକା ଉଜୁଡ଼ି ଯାଇଛି।

You might also like