ତାଲିବାନ ଇଲାକାରେ ଖସିପଡ଼ିଲା ଯାତ୍ରୀବାହୀ ବିମାନ

କାବୁଲ୍‌: ଆଫଗାନସ୍ଥାନର ପୂର୍ବପ୍ରାନ୍ତ ଗଜନୀରେ ସୋମବାର ମଧ୍ୟାହ୍ନରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଫଗାନ ଏୟାର ଲାଇନ୍ସର ଏହି ବିମାନଟି ତାଲିବାନ ଇଲାକାରେ ଖସି ପଡ଼ିଛି। ସ୍ଥାନୀୟ ମିଡିଆ ସୂତ୍ରରୁ ଜଣାଯାଇଛି, ଏଫ୍‌ଜି ୫୦୭ ବିମାନ ସେଠିକାର ସମୟ ମଧ୍ୟାହ୍ନ ୧.୧୦ରେ ଖସି ପଡ଼ିଥିଲା।ଏହି ବିମାନରେ ୮୩ ଜଣ ଲୋକ ଥିଲେ । ତେବେ କ୍ଷୟକ୍ଷତି ନେଇ କିଛି ସ୍ପଷ୍ଟ ଜଣାପଡ଼ିନାହିଁ।

ବିମାନଟି ଗଜନୀ ପ୍ରାନ୍ତର ଡେହୟାକ୍‌ ଜିଲାରେ ଖସି ପଡ଼ିଛି। ବିମାନରୁ ନିଆଁ ଏବଂ ଧୂଆଁ ବାହାରୁଛି। ଗଜନୀ ଗଭର୍ନର ଅରେଫ ନୁରୀଙ୍କ କହିବା ଅନୁଯାୟୀ, ପ୍ଲେନ୍‌ରେ ନିଆଁ ଲାଗି ଯାଇଛି। ଏହାକୁ ଲିଭାଇବା ପାଇଁ ଚେଷ୍ଟା ଜାରି ରହିଛି। ତେବେ ଏହି ବିମାନ ମିଲିଟାରୀ ବା କମର୍ସିଆଲ ତାହା ଜଣା ପଡ଼ିନାହିଁ ବୋଲି କହିଛନ୍ତି।

ତେବେ ଆଫଗାନିସ୍ତାନର ଆରିଆନା ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି, ଏହାର କୌଣସି ବିମାନ ଧ୍ୱଂସ ହୋଇନି। ସମସ୍ତ ଯାତ୍ରୀବାହୀ ବିମାନ ସୁରକ୍ଷିତ ରହିଛି।

ପାହାଡ଼ିଆ ଗଜନୀ ଅଞ୍ଚଳ ହିନ୍ଦୁକୁଶ ପର୍ବତ ପାଦଦେଶରେ ଏକ ପ୍ରଦେଶ। ଶୀତରେ ଏଠାରେ ଅତ୍ୟଧିକ ଥଣ୍ଡା ଅନୁଭୂତ ହୋଇଥାଏ। ୨୦୦୫ ମସିହାରେ ତୁଷାରପାତ ଓ ଖରାପ ପାଗ କାରଣରୁ ଏକ ବ୍ୟବସାୟିକ ବିମାନର ଦୁର୍ଘଟଣା ଘଟିଥିଲା।

 

 

 

You might also like