ପିଜା ଡେଲିଭରି କରୁଥିବା ଯୁବକଙ୍କୁ କରୋନା, ୭୨ ଘରେ ଦେଇଥିଲେ ପିଜା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଜଣ ରୋଗୀ କରୋନା ଭାଇରସ୍‌ରେ ମୃତ୍ୟୁ ବରଣ କରିଥିବାବେଳେ  ୧୭ ଜଣ ସଂକ୍ରମଣର ଶିକାର ହୋଇଛନ୍ତି। ଦିଲ୍ଲୀରେ କରୋନା ସ୍ଥିତି ଗମ୍ଭୀର ଥିବାବେଳେ ଜଣେ ପିଜା ଡେଲିଭରି କରୁଥିବା ଯୁବକ ସରକାରଙ୍କ ନିଦ ହଜାଇ ଦେଇଛନ୍ତି। ଦକ୍ଷିଣ ଦିଲ୍ଲୀ ଅଞ୍ଚଳର ଏହି ୧୯ ବର୍ଷର ପିଜା ଡେଲିଭରି କରୁଥିବା ଯୁବକ କରୋନା ଆକ୍ରାନ୍ତ।  ନମୂନା ପରୀକ୍ଷା ପୂର୍ବରୁ ସେ ୭୨ ଜଣଙ୍କ ଘରକୁ ପିଜା ଡେଲିଭରି କରିଥିଲେ। ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି।

ସେ ୧୨ ଏପ୍ରିଲ ପର୍ଯ୍ୟନ୍ତ ଲୋକଙ୍କ ଘରେ ପିଜା ଡେଲିଭରି କରିଥିବା ଜଣାପଡିଛି। ଗତ ୧୫ ଦିନ ମଧ୍ୟରେ ସେ ଦିଲ୍ଲୀର ବିଭିନ୍ନ ଅଞ୍ଚଳର ୭୨ ପରିବାରକୁ ପିଜା ଡେଲିଭରି କରିଛନ୍ତି। ଯୁବକ ଜଣଙ୍କ ପଜିଟିଭ ଜଣାପଡିବା ପରେ ସମସ୍ତ ପରିବାରକୁ ନିଜ ଘରେ କ୍ୱାରେଣ୍ଟାଇନ୍‌ରେ ରଖା ଯାଇଛି। ସ୍ୱାସ୍ଥ୍ୟବିଭାଗ ମଧ୍ୟ ସେମାନଙ୍କ ଉପରେ ନଜର ରଖିଛି।

ଯୁବକଙ୍କୁ ଆରଏମଏଲ(RML) ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଦକ୍ଷିଣ ଦିଲ୍ଲୀର ଜିଲ୍ଲା କଲେକ୍ଟର ବିଏମ୍ ମିଶ୍ରା ସୂଚନା ଦେଇଛନ୍ତି।  ପଜିଟିଭ ଯୁବକ ଜଣଙ୍କ ଦିଲ୍ଲୀର ହୋଜ୍‌ ଖାସ୍, ମାଲଭିଆ ନଗର, ସାବିତ୍ରୀ ନଗର ଏବଂ ଏହାର ଆଖପାଖ ଅଞ୍ଚଳରେ ପିଜା ଡେଲିଭରି କରିଥିବା ଜଣାପଡିଛି। ପ୍ରଶାସନ ଏହି ଘଟଣାର ଖୁଲାସା କରିବା ପରେ, ୨୦ ଜଣ ପିଜା ଡେଲିଭରି ଯୁବକଙ୍କୁ ଛତ୍ରପୁରରେ ଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଛି।

୨୦ ଜଣ ଯୁବକ ପିଜା ଡେଲିଭରି କରିଥିବା ଯୁବକଙ୍କ ସଂସ୍ପର୍ଶରେ ଆସିଥିଲେ। ସଂକ୍ରମିତ ଯୁବକଙ୍କର କୌଣସି ଟ୍ରାଭେଲ୍‌ ହିଷ୍ଟ୍ରି ନଥିଲା। ଦକ୍ଷୀଣ ଦିଲ୍ଲୀ ଅଞ୍ଚଳରେ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ପିଜା ଡେଲିଭରି କରୁଥିବା ଯୁବକ ଜଣଙ୍କ ସଂକ୍ରମିତ ହୋଇଥିବା ପ୍ରଶାସନ ସୂଚନା ଦେଇଥିଲେ।

You might also like