ପୀୟୂଷ ଗୋଏଲଙ୍କୁ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ୱ

ନୂଆଦିଲ୍ଲୀ: ଅସୁସ୍ଥତା କାରଣରୁ ଆମେରିକାରେ ଚିକିତ୍ସିତ ହେଉଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଆଉ ଏକ ଅସ୍ତ୍ରୋପଚାର ହୋଇଥିବା ସୂଚନା ମିଳିଛି।

ଏଣୁ ଏବେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଅର୍ଥ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବେ। ଗତକାଲି ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅସ୍ଥାୟୀ ଅର୍ଥମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। ଏହାକୁ ରାଷ୍ଟ୍ରପତି ଭବନ ପକ୍ଷରୁ ସ୍ୱୀକୃତି ଦିଆଯାଇଛି।

ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ତତ୍କାଳ ଭାବେ ପୀୟୂଷ ଗୋଏଲ ଅର୍ଥ ମନ୍ତ୍ରଣାଳୟ ସହ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଦାୟିତ୍ୱ ମଧ୍ୟ ତୁଲାଇବେ। ଅରୁଣ ଜେଟଲୀ ସୁସ୍ଥ ହୋଇ ନ ଫେରିବା ଯାଏ, ପୀୟୂଷ ଗୋଏଲ ଏହି ପଦରେ ରହିବେ। ଏଥିସହ ପୂର୍ବପରି ସେ ରେଳ ଓ କୋଇଲା ମନ୍ତ୍ରଣାଳୟ ଦାୟିତ୍ୱ ମଧ୍ୟ ସମ୍ପାଦନ କରିବେ।

ଆସନ୍ତା ଫେବୃଆରୀ ୧ରେ କେନ୍ଦ୍ର ସରକାର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ। ବିଧି ଅନୁଯାୟୀ, ଅର୍ଥମନ୍ତ୍ରୀ ହିଁ ବଜେଟ୍ ଉପସ୍ଥାପନ କରନ୍ତି। କିନ୍ତୁ ଜେଟଲୀ ଅସୁସ୍ଥ ଥିବାରୁ ସମ୍ଭବତଃ ପୀୟୂଷ ଗୋଏଲ ଏଥର ବଜେଟ୍ ଉପସ୍ଥାନ କରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଗତବର୍ଷ ଏପ୍ରିଲରେ ଜେଟ୍‌ଲୀ ଏମ୍‌ସ୍‌ରେ ଚିକିତ୍ସିତ ହେଉଥିଲେ। ମେ ୧୪ ତାରିଖରେ ତାଙ୍କର ରିନାଲ୍ ଟ୍ରାନ୍ସପ୍ଲାଣ୍ଟ୍ ସର୍ଜରୀ ହୋଇଥିଲା। ତାଙ୍କ ଅନୁପସ୍ଥିତିରେ ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ମେ ୧୪ ତାରିଖରେ ଅର୍ଥ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା।

You might also like