କରୋନାରୁ ମୁକ୍ତି ଦେବ ମାତ୍ର ଗୋଟିଏ ବଟିକା, ପ୍ରସ୍ତୁତ କରୁଛି ଆମେରିକା.. !

ନୂଆଦିଲ୍ଲୀ: ଭାରତରେ କରୋନାର ଏହି ଦ୍ୱିତୀୟ ଲହର କାୟା ବିସ୍ତାର କରିସାରିଥିବା ବେଳେ ସାରା ବିଶ୍ୱ ଏଥିପାଇଁ ଆତଙ୍କିତ ରହିଛି। ଭାରତ ବ୍ୟତୀତ ଏଭଳି ଅନେକ ଦେଶ ରହିଛି, ଯେଉଁଠି କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ପ୍ରତ୍ୟେକ ଦିନ ରକର୍ଡ ଭାଙ୍ଗୁଛି। ତେଣୁ ଏଭଳି ପରିସ୍ଥିତିରେ ଆମେରିକାର ଫାଇଜର କମ୍ପାନୀ ପ୍ରସ୍ତୁତ କରୁଛି ଏକ ନୂଆ ବଟିକା। ଯାହାକି ପୁରା ବିଶ୍ୱକୁ ଆଶ୍ୱସ୍ତ କରିଛି।

କରୋନାରୁ ମୁକ୍ତି ଦେବ ମାତ୍ର ଗୋଟିଏ ବଟିକା। ଘରେ ରହି ଗୋଟିଏ ବଟିକା ଖାଇଦେଲେ କୋଭିଡରୁ ମିଳିବ ମୁକ୍ତି। ସଂକ୍ରମିତ ଗୁରୁତର ହେବା ତ ଦୂରର କଥା, ମୂଳରୁ ରୋଗକୁ ନାଶ କରିପାରିବ ଏହି ଚମତ୍କାରୀ ବଟିକା। ଏଭଳି ଏକ ଆଣ୍ଟିଭାଇରାଲ୍ ପିଲ୍ ବା ଭୂତାଣୁରୋଧୀ ବଟିକା ତିଆରି କରୁଛି ଆମେରିକାର ଫାଇଜର୍ କଂପାନୀ। ଆମେରିକା ଓ ବେଲଜିୟମରେ ୬୦ ଜଣ ସ୍ୱେଚ୍ଛାସେବୀଙ୍କଠାରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଚାଲିଥିବା ଏହି ବଟିକାର ନାଁ ରହିଛି PF- 073 21 332।

ତେବେ ଉତ୍ସାହଜନକ କଥା ହେଉଛି, ଏହା ଚଳିତବର୍ଷ ଶେଷ ଆଡ଼କୁ ଉପଲବ୍ଧ ହୋଇପାରେ ବୋଲି କହିଛନ୍ତି ଫାଇଜର୍ ସିଇଓ ଆଲବର୍ଟ ବୋର୍ଲା। କରୋନାର ପ୍ରଥମ ଲକ୍ଷଣ ଦେଖା ଦେବା ମାତ୍ରେ ବଟିକାକୁ ଖାଇଲେ, ଏହା ଶରୀରରେ କରୋନା ଭୂତାଣୁର ବଂଶବୃଦ୍ଧି ହେବାକୁ ଦେବ ନାହିଁ। ଏଚଆଇଭି ଓ ହେପାଟାଇଟିସ୍-ସିର ଚିକିତ୍ସା ପାଇଁ ମଧ୍ୟ ଏହି ବର୍ଗର ଔଷଧର ପ୍ରଚଳନ ରହିଛି।

ଏପଟେ ଭାରତରେ ଟିକାକରଣକୁ ଆହୁରି ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ଚେଷ୍ଟା ଚଳାଇଛନ୍ତି। ଟିକା ଦର ହ୍ରାସ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଭୟ ଟିକା ପ୍ରସ୍ତୁତକାରୀ କମ୍ପାନୀମାନଙ୍କୁ ନିବେଦନ କରାଯାଇଥିଲା। ଯାହାଫଳରେ ବୁଧାବା ସେରମ ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୋଭିସିଲ୍ଡ ଟିକାର ଦର କମାଯାଇଥିବା ବେଳେ ଗୁରୁବାର ଭାରତ ବାୟୋଟେକ ପକ୍ଷରୁ କୋଭାକ୍ସିନ ଦର ହ୍ରାସ କରାଯାଇଛି। ଏଣିକି କୋଭିସିଲ୍ଡ ଟିକାକୁ ସବୁ ରାଜ୍ୟ ସରକାର ୩୦୦ ଟଙ୍କାରେ କିଣିବାକୁ ସ୍ଥିର ହୋଇଥିବା ବେଳେ କୋଭାକ୍ସିନ ଟିକାକୁ ରାଜ୍ୟ ସରକାରମାନେ ୪୦୦ ଟଙ୍କାରେ କିଣିବେ। ପୂର୍ବରୁ କୋଭାକ୍ସିନ ଟିକାକୁ ରାଜ୍ୟ ସରକାରମାନେ ୬୦୦ ଟଙ୍କାର କିଣୁଥିଲେ।

You might also like