୧୬ ଟଙ୍କା କମିପାରେ ପେଟ୍ରୋଲ, ଡିଜେଲ ଦର, କେମିତି ଜାଣନ୍ତୁ..

ନୂଆଦିଲ୍ଲୀ: ସାରା ଦେଶରେ ପେଟ୍ରୋଲ, ଡିଜେଲ ଦର ସର୍ବାଧିକ ବୃଦ୍ଧି ପାଇଛି। ପ୍ରାୟ ଅଧିକାଂଶ ଜାଗାରେ ତୈଳ ଦର ୯୦ ଟଙ୍କା ଉପରେ ରହିଛି। ରାଜଧାନୀ ଦିଲ୍ଲୀରେ ଡିଜେଲ ଲିଟର ପିଛା ଦର ୮୧.୪୭ ଟଙ୍କା ଥିବାବେଳେ ପେଟ୍ରୋଲ ଲିଟର ପିଛା ଦର ୯୧.୧୭ ଟଙ୍କା ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ୯୭.୫୭ ଟଙ୍କା ଥିବାବେଳେ ଡିଜେଲ ଦର ୮୮.୬୦ ରହିଛି।   ମଧ୍ୟପ୍ରଦେଶର ଭୋପାଲ ସହରରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ରହିଛି।

ଏପରି ତୈଳ ଦର ବୃଦ୍ଧି ସାଧାରଣ ଲୋକଙ୍କ ଜୀବନଯାତ୍ରାରେ ପ୍ରଭାବ ପକାଉଛି। ତୈଳ ଦର ବୃଦ୍ଧିକୁ ନେଇ ସାରା ଦେଶରେ ଚାପା ଅସନ୍ତୋଷ ତଥା ସରକାର ବିରୋଧୀ ଚିନ୍ତାଧାରା ବଢିବାରେ ଲାଗିଛି। ତେବେ ସରକାର ଯଦି ଚାହିଁବେ ତେବେ ପେଟ୍ରୋଲ, ଜିଜେଲ ଦର କମି ଯାଇ ପାରିବେ। ସାଧାରଣ ଲୋକଙ୍କୁ ଆଶ୍ୱସ୍ତ କରିବା ପାଇଁ ଯଦି ସରକାର ଡିଜେଲ, ପେଟ୍ରୋଲକୁ ଜିଏସ୍‌ଟି କାଟେଗୋରୀକୁ ଆଣନ୍ତେ ତେବେ ତୈଳଦର ୧୬ ଟଙ୍କା ପର୍ଯ୍ୟନ୍ତ କମିଯାଇ ପାରନ୍ତା।

ଯଦି ପେଟ୍ରୋଲ ଜିଏସ୍‌ଟି କାଟେଗରିକୁ ଆସିପାରନ୍ତା ତେବେ ଏହାର ମୂଲ୍ୟ ଲିଟର ପିଛା ୭୫ଟଙ୍କାକୁ ହ୍ରାସ ପାଇପାରନ୍ତା। ସେହିପରି ଜିଏସ୍‌ଟି ଲାଗୁ ହେଲେ ଡିଜେଲ ଦର ମଧ୍ୟ ହ୍ରାସ ପାଇ ଲିଟର ପିଛା ୬୮ ଟଙ୍କା ହୋଇ ପାରନ୍ତା। ଜାତୀୟ ଗଣମାଧ୍ୟମ ନିଉଜ ୧୮ରୁ ମିଳିଥିବା ଏକ ତଥ୍ୟ ଅନୁଯାୟୀ, ଗୁରୁବାର ଏସବିଆଇ ଇକ୍‌ନମିଷ୍ଟ ଏକ ବିଶ୍ଳେଷଣାତ୍ମକ ରିପୋର୍ଟରେ ଏହା କହିଛନ୍ତି। କେନ୍ଦ୍ର, ରାଜ୍ୟ ଟାକ୍ସ ଏବଂ ଉପରକ ବୋଝ ଯୋଗୁ ଭାରତରେ ପେଟ୍ରୋଲିୟମ  ପଦାର୍ଥର ମୂଲ୍ୟ ସବୁଠାରୁ ଅଧିକ ହୋଇଛି।

ଏସବିଆଇ ଇକ୍‌ନମିଷ୍ଟଙ୍କ କହିବା ଅନୁଯାୟୀ, ଜିଏସଟି ଲାଗୁ କରିବା ସମୟରେ ପେଟ୍ରୋଲ, ଡିଜେଲକୁ ମଧ୍ୟ ଏହି କାଟେଗୋରୀରେ ଆଣିବା ପାଇଁ ପ୍ରସ୍ତାବ ରଖାଯାଇଥିଲା। ହେଲେ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇନାହିଁ। ଏବେ ପ୍ରତ୍ୟେକ ରାଜ୍ୟ ପେଟ୍ରୋଲ, ଡିଜେଲ ଉପରେ ନିଜର ଆବଶ୍ୟକତା ଅନୁସାରେ ମୂଲ୍ୟ ବର୍ଦ୍ଧିତ କର (ଭାଟ) ଲଗାଉଛନ୍ତି। ଏଥିସହିତ କେନ୍ଦ୍ର ମଧ୍ୟ ଏହା ଉପରେ ଏକ୍‌ସାଇଜ ଟାକ୍ସ ଏବଂ ଅନ୍ୟ ଉପକର ଲଗାଉଛି। ଏହି କାରଣରୁ ଦେଶର କିଛି ଭାଗରେ ପେଟ୍ରୋଲ ଦାମ ଲିଟର ପିଛା ୧୦୦ ଟଙ୍କା ଛୁଇଁଛି।

ଏଠି କହିରଖିବୁ, ଦିଲ୍ଲୀ, ମୁମ୍ବାଇକୁ ବାଦ ଦେଲେ, କୋଲକାତାରେ ପେଟ୍ରୋଲ ଲିଟର ପିଛା ଦର ୯୧.୩୫ ଟଙ୍କା ଥିବାବେଳେ ଡିଜେଲ ଦର ୮୪.୩୫ ଟଙ୍କା ରହିଛି। ଚେନ୍ନାଇରେ ପେଟ୍ରୋଲ ଲିଟର ଦର ୯୩.୧୧ ଟଙ୍କା ରହିଥିବାବେଳେ ଡିଜେଲ ଦର ୮୬.୪୫ ଟଙ୍କା ରହିଛି। ବେଙ୍ଗାଲୁରରେ ପେଟ୍ରୋଲ ୯୪.୨୨ ଏବଂ ଡିଜେଲ ୮୬.୩୭ ଟଙ୍କା ରହିଛି।

You might also like