ରେକର୍ଡ ସ୍ତରରେ ବଢ଼ିଲା ପେଟ୍ରୋଲ ଦର, ଭୁବନେଶ୍ୱରରେ କେତେ ଜାଣନ୍ତୁ…
ଭୁବନେଶ୍ୱର/ନୂଆଦିଲ୍ଲୀ: ରେକର୍ଡ ଛୁଇଁଲା ପେଟ୍ରୋଲ ଦର। ଆଜି ପେଟ୍ରୋଲ ଦର ଲିଟର ପିଛା ୨୫ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦର ଲିଟର ପିଛା ୨୭ ପଇସା ବଢ଼ିଛି।
ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୫ ଟଙ୍କା ପାର୍ ହୋଇଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୨୫ ପଇସା ବଢ଼ି ୮୫ ଟଙ୍କା ୯ ପଇସାରେ ପହଞ୍ଚିଛି। ସେହିପରି ଡିଜେଲ ଦର ଲିଟର ପିଛା ୨୭ ପଇସା ବଢ଼ି ୮୧ ଟଙ୍କା ୨୯ ପଇସା ହୋଇଛି। ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ ଏହି ସୂଚନା ଦେଇଛନ୍ତି।
ଏହା ପୂର୍ବରୁ ଜାନୁଆରୀ ୬ ଓ ୭ ତାରିଖରେ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା। ଏହି ୨ ଦିନରେ ପେଟ୍ରୋଲ ଲିଟର ପିଛା ୪୯ ପଇସା ବଢ଼ି ଥିବାବେଳେ ଡିଜେଲ ଲିଟର ପିଛା ୫୧ ପଇସା ବୃଦ୍ଧି ପାଇଥିଲା। ତେବେ ଡିସେମ୍ବର ୬ ପୂର୍ବରୁ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ଥିଲା।
ଆନ୍ତର୍ଜାତିକ ବଜାରରେ ଅଶୌଧିତ ତେଲ ଦର ବଢ଼ିଥିବାରୁ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଗୁଡ଼ିକ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବଢ଼ାଇଥିବା ସୂଚନା ମିଳିଛି।
ଅନ୍ୟପକ୍ଷରେ, ପୁଣିଥରେ ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୯୧ ଟଙ୍କା ପାର୍ କରିଛି। ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ର ସୂଚନା ଅନୁସାରେ, ରାଜସ୍ଥାନର ଜୟପୁରରେ ପେଟ୍ରୋଲ ଦର ଲିଟର ପିଛା ୯୧ ଟଙ୍କା ୯୦ ପଇସାରେ ପହଞ୍ଚିଥିବା ବେଳେ ଡିଜେଲ ଦର ଲିଟର ପିଛା ୮୩ ଟଙ୍କା ୯୨ ପଇସାରେ ପହଞ୍ଚିଛି।
ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ଆଜି ୮୪ ଟଙ୍କା ୪୫ ପଇସା ଥିବାବେଳେ ମୁମ୍ବାଇରେ ୯୧ ଟଙ୍କା ୭ ପଇସା, କୋଲକାତାରେ ୮୫ ଟଙ୍କା ୯୨ ପଇସା ଓ ଚେନ୍ନାଇରେ ୮୭ ଟଙ୍କା ୧୮ ପଇସା ରହିଛି।
ସେହିପରି, ଦିଲ୍ଲୀରେ ଡିଜେଲ ଦର ଲିଟର ପିଛା ୭୪ ଟଙ୍କା ୬୩ ପଇସା ଥିବାବେଳେ ମୁମ୍ବାଇରେ ୮୧ ଟଙ୍କା ୩୪ ପଇସା, କୋଲକାତାରେ ୭୮ ଟଙ୍କା ୨୨ ପଇସା ଓ ଚେନ୍ନାଇରେ ୭୯ ଟଙ୍କା ୯୫ ପଇସା ରହିଛି।