ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର: ୮ ଦିନରେ ବଢ଼ିଲାଣି ଏତିକି

ନୂଆଦିଲ୍ଲୀ: ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦର। ରବିବାର ପେଟ୍ରୋଲ୍‌ ଲିଟର ପ୍ରତି ୬୨ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ୍ ୬୪ ପଇସା ବୃଦ୍ଧି ହୋଇଛି। କରୋନା ଲକ୍‌ଡାଉନ୍‌ ହେବା ପରେ ଲଗାତର ୮ଥର ପେଟ୍ରୋଲ ଓ ଡିଜେଲ୍ ଦର ବଢ଼ିଛି। ଏହି ଆଠ ଥର ବଢ଼ିବା ଭିତରେ ପେଟ୍ରୋଲ୍‌ ଲିଟର ପ୍ରତି ୪.୫୨ ପଇସା ବଢ଼ି ସାରିଥିବା ବେଳେ ଡିଜେଲ୍ ୪.୬୪ ବୃଦ୍ଧି ହୋଇ ସାରିଲାଣି।

ନୂଆଦିଲ୍ଲୀରେ ପେଟ୍ରୋଲ ଦର ୭୫.୧୬ ଟଙ୍କାରୁ ୭୫.୭୮ ଟଙ୍କା ରହିଥିବା ବେଳେ ଡିଜେଲ୍‌ ରେଟ୍ ୭୩.୩୯ ଟଙ୍କାରୁ ୭୪.୦୩ ଟଙ୍କା ହୋଇଛି।

ଅଏଲ୍ ମାର୍କେଟିଂ କମ୍ପାନୀଗୁଡ଼ିକଙ୍କ ଅନୁସାରେ, ସାରା ଦେଶରେ ତୈଳ ଦର ବୃଦ୍ଧି ହୋଇଥିବା ବେଳେ ବିଭିନ୍ନ ରାଜ୍ୟରେ ସ୍ଥାନୀୟ ବିକ୍ରି କର ଓ ଭାଟ୍‌ ଲାଗି ଭିନ୍ନ ଭିନ୍ନ ଦରରରେ ଉପଲବ୍ଧ ହେବ।

ତେବେ ବାରମ୍ବାର ତୈଳ ଦର ବୃଦ୍ଧି ପାଉଥିବାରୁ ଏଥିରେ କ୍ଷୋଭ ପ୍ରକାଶ କରିଛନ୍ତି ଉପଭୋକ୍ତା। ଲକ୍‌ଡାଉନ୍‌ ସମୟରେ ଚାକିରି ଚାଲିଯାଉଥିବା ବେଳେ ଏହା ଅତିରିକ୍ତ ବୋଝ ବୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାହକ।

ସେହିଭଳି ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ିବା ନେଇ ଶନିବାର ସରକାରଙ୍କୁ ଟାର୍ଗେଟ୍‌ କରିଥିଲା କଂଗ୍ରେସ। ବିଜେପି ସରକାର ପେଟ୍ରୋଲ୍‌ ଓ ଡିଜେଲ୍ ଉପରେ ହାଇ ଟ୍ୟାକ୍ସ ଲଗାଇ ସାଧାରଣ ଲୋକଙ୍କ ଉପରେ ଅଧିକ ବୋଝ ସୃଷ୍ଟି କରୁଛି ବୋଲି କଂଗ୍ରେସ କହିଥିଲା।

ସେହିଭଳି ଓଡ଼ିଶାରେ ମଧ୍ୟ ପେଟ୍ରୋଲ୍ ଦର ଆକାଶ ଛୁଆଁ ହେବ। କାରଣ ମେ ୧୬ ତାରିଖ ମଧ୍ୟ ରାତ୍ରୀରୁ ପେଟ୍ରୋଲ, ଡିଜେଲ ଉପରେ ଭାଟ୍ ବଢ଼ାଥିଲେ ରାଜ୍ୟ ସରକାର। ଡିଜେଲ୍ ଉପରେ ଭାଟ୍‌ ୨୬%ରୁ ୨୮%କୁ ବଢ଼ିଥିବା ବେଳେ ପେଟ୍ରୋଲ ଉପରେ ଏହା ୨୬ରୁ ୩୨% ଭାଟ୍‌ ବଢ଼ିଥିଲା।

You might also like