ସୀମାରେ ଚାଲିଛି ତେଲ ତସ୍କରୀ

ସୀମାରେ ତେଲ ଚୋରି

ଲକ୍ଷ୍ନୌ(ଅରବିନ୍ଦ ଗୁପ୍ତା): ଭାରତ-ନେପାଳ ସୀମାରେ ବେକାବୁ ତେଲ ତସ୍କରି। କିଏ ବାଇକ୍ ପଛରେ, ଆଉ କିଏ ବଡ଼ ବଡ଼ ଟ୍ରକରେ, ଆଉ କିଏ ଗଳାବାଟରେ, ତ ଆଉ କିଏ ରାଜରାସ୍ତାରେ ନେଉଛନ୍ତି ତେଲ। ଭାରତ ଅପେକ୍ଷା ନେପାଳରେ ତେଲ ଶସ୍ତାରେ ମିଳୁଥିବାରୁ, କେବଳ ସୀମାବର୍ତ୍ତୀ ଅଞ୍ଚଳ ବାସିନ୍ଦା ନୁହଁନ୍ତି, ଦୂରଦୂରାନ୍ତରୁ ସୀମା ସେପଟକୁ ଯାଉଥିବା ଟ୍ରକ୍ ଓ ଅନ୍ୟ ମାଲହାବୀ ଗାଡ଼ିଗୁଡ଼ିକ ମଧ୍ୟ ଟାଙ୍କି ଫୁଲ୍ କରି ଦେଶକୁ ବାହୁଡ଼ୁଛନ୍ତି। ବହୁ ଗାଡ଼ି କେବଳ ନେପାଳ ସୀମାରେ ପହଞ୍ଚିବା ପାଇଁ ଯେତିକି ପେଟ୍ରୋଲ୍ କି ଡିଜେଲ୍ ଦରକାର, ଭାରତରୁ ସେତିକି ମାତ୍ର ଭର୍ତ୍ତି କରି ଯାଉଛନ୍ତି, ଆଉ ଫେରିବା ବେଳକୁ ଗାଡ଼ି ଟାଙ୍କି ସହ ଡ୍ରମ୍ ଓ ଜାର୍କିନ୍ ଆଦିରେ ଯେତେ ଅଧିକ ସମ୍ଭବ ତେଲ ବୋହି ଆଣୁଛନ୍ତି।

ଅଭିଯୋଗ ହେଉଛି, କିଛି ତେଲ ତସ୍କର ନେପାଳରୁ ଶସ୍ତାରେ ତେଲ ଆଣି, ଭାରତରେ ଚଢ଼ା ଦରରେ ବିକୁଛନ୍ତି। ଭାରତରେ ତେଲ ଦର ଯେତେ ବଢ଼ୁଛି, ବେଆଇନ ଚାଲାଣକାରୀଙ୍କ ବେପାର ସେତେ ଜମୁଛି। ଭାରତରେ ପେଟ୍ରୋଲ୍ ଲିଟର ୯୦ ଟଙ୍କା ପାର୍ କରିଥିବା ବେଳେ, ନେପାଳରେ ପ୍ରାୟ ୭୦ ଟଙ୍କା ରହିଛି। ତେଣୁ ପ୍ରତି ଲିଟରରେ ମିଳି ଯାଉଛି ୨୦-୨୨ ଟଙ୍କାର ମୁନାଫା। ଡିଜେଲ୍ କ୍ଷେତ୍ରରେ ବି ପାଖାପାଖି ସମାନ ଅବସ୍ଥା। ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲ୍ଲା ନେପାଳକୁ ଲାଗିଛି। ଜିଲ୍ଲାର ୮୪ କିଲୋମିଟର ଅଞ୍ଚଳ ମୁଖ୍ୟ ରାସ୍ତା ଉପରେ ସିନା ଚେକ୍ ପୋଷ୍ଟ୍ ଅଛି, ହେଲେ ସୀମା ଡେଇଁବା ପାଇଁ ମାତ୍ର କେଇ ମିଟର ଦୂରରେ ଲମ୍ବିଛି କଚ୍ଚାରାସ୍ତା।

ଲୁଚିଛପି ନୁହେଁ, ବିନା ବାଧାରେ ଖୁଲ୍ଲମଖୁଲା ଚାଲିଛି ଯାଆସ, ତା ସହିତ ତେଲ ତସ୍କରି ବି ଭଲ ରକମେ ଚାଲିଛି। ସେପଟେ ଏଭଳି କାରବାର ଫଳରେ ଭାରତ ପଟେ ନେପାଳ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପଗୁଡ଼ିକରେ ତେଲ ବିକ୍ରି ବହୁ ମାତ୍ରାରେ କମିଯାଇଛି। ମହାରାଜଗଞ୍ଜ ଏସ୍ପି କହିଛନ୍ତି, ଏ ସଂକ୍ରାନ୍ତରେ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯିବା ସହ ସୀମାରେ କଷ୍ଟମ ବିଭାଗକୁ ସତର୍କ କରାଯାଇଛି।

କେବଳ ଉତ୍ତରପ୍ରଦେଶ ନୁହେଁ, ଉତ୍ତରାଖଣ୍ଡ ଓ ବିହାରର ସୀମାବର୍ତ୍ତୀ ଅଞ୍ଚଳରେ ବି ତେଲ ତସ୍କରି ବହୁମାତ୍ରାରେ ଦେଖିବାକୁ ମିଳୁଛି। ତେବେ ରୋଚକ କଥା ହେଉଛି, ନେପାଳକୁ ଭାରତ ହିଁ ତେଲ ଯୋଗାଇଥାଏ। ଏକ ଚୁକ୍ତି ଅନୁସାରେ, IOCL ଗଲ୍ଫ ଦେଶରୁ ତେଲ ଆଣି ନେପାଳକୁ କିଣାମୂଲ୍ୟ ସହ କେବଳ ରିଫାଇନାରି ଫି ଯୋଡ଼ି ରପ୍ତାନୀ କରିଥାଏ। ଯାହାଫଳରେ ନେପାଳରେ ତେଲ ଶସ୍ତାରେ ମିଳୁଛି ଆଉ ଏବେ ସ୍ଥିତି ଏଭଳି ଯେ, ଭାରତୀୟ ମାନେ ନେପାଳରୁ ତେଲ ଆଣିବାକୁ ପସନ୍ଦ କରୁଛନ୍ତି।

You might also like