ଦିନକ ପରେ ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଦିନକ ପରେ ପୁଣି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ମେ’ ୨୧ ତାରିଖ ଦିନ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟି ଥିବାବେଳେ ଗତକାଲି ଏହା ସ୍ଥିର ଥିଲା। ହେଲେ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବଢ଼ିଛି। ପେଟ୍ରୋଲ ଲିଟର ପ୍ରତି ୧୭ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ୨୯ ପଇସା ବୃଦ୍ଧି ପାଇଛି।

ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୯୩ ଟଙ୍କା ୨୧ ପଇସା ଥିବାବେଳେ ଡିଜେଲ ୮୪ ଟଙ୍କା ୦୭ ପଇସା ରହିଛି। ସେହିପରି ମୁମ୍ବାଇରେ ଲିଟର ପ୍ରତି ପେଟ୍ରୋଲ ୯୯ ଟଙ୍କା ୪୯ ପଇସା, ଡିଜେଲ ୯୧ ଟଙ୍କା ୩୦ ପଇସା, କୋଲକାତାରେ ପେଟ୍ରୋଲ ୯୩ ଟଙ୍କା ୨୭ ପଇସା ଓ ଡିଜେଲ ୮୬ ଟଙ୍କା ୯୧ ପଇସା, ଚେନ୍ନାଇରେ ପେଟ୍ରୋଲ ଲିଟର ପ୍ରତି ୯୪ ଟଙ୍କା ୮୬ ପଇସା ଓ ଡିଜେଲ ୮୮ ଟଙ୍କା ୮୭ ପଇସା ରହିଛି।

ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ମହାରାଷ୍ଟ୍ରରେ ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କା ପାର କରିଛି। ରାଜସ୍ଥାନର ଶ୍ରୀ ଗଙ୍ଗାସାଗରରେ ପେଟ୍ରୋଲ ଲିଟର ପ୍ରତି ୧୦୪ ଟଙ୍କା ୧୮ ପଇସା ରହିଛି। ଜୈସଲମେର, ବନସୱାରା, ଅନୁପ୍ପୁର, ଇନ୍ଦୋର, ଭୋପାଳ, ଗ୍ୱାଲିଅର, ରେୱା, ରତ୍ନଗିରି, ଔରଙ୍ଗାବାଦରେ ମଧ୍ୟ ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କା ଅତିକ୍ରମ କରିଛି।

ମେ’ ୪ରୁ ବର୍ତ୍ତମାନ ସୁଦ୍ଧା ୧୨ ଥର ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି। ନିର୍ବାଚନ ପର ଠାରୁ ଲଗାତାର ଭାବେ ବୃଦ୍ଧି ପାଉଛି ତୈଳ ଦର। ୨୬ ଫେୃବୟାରୀରେ ନିର୍ବାଚନ କମିସନ୍ ପାଞ୍ଚ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଥିଲେ। ଆଉ ତା’ପର ଠାରୁ ମେ ୨ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନଥିଲା ବରଂ ଏହି ସମୟ ମଧ୍ୟରେ ପେଟ୍ରୋଲ ଦରରେ ହ୍ରାସ ଦେଖିବାକୁ ମିଳିଥିଲା। କିନ୍ତୁ ମେ ୨ ରେ ନିର୍ବାଚନ ଫଳାଫଳ ଆସିବା ପରଠାରୁ ତଥା ମେ ୪ ତାରିଖରୁ ଲଗାତାର ପେଟ୍ରୋଲ ଦର ବୃଦ୍ଧି ପାଇବାରେ ଲାଗିଛି।

You might also like