ଯୁବତୀଙ୍କ ବିବାହର ସର୍ବନିମ୍ନ ବୟସ ହେବ ୨୧ ବର୍ଷ !

  • ଯୁବକ, ଯୁବତୀଙ୍କ ବିବାହର ସର୍ବନିମ୍ନ ବୟସ ୨୧ ବର୍ଷ ହେଉ
  • ସୁପ୍ରିମ୍‌କୋର୍ଟରେ ହେବ ଆବେଦନର ଶୁଣାଣି
  • ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟ ଶୁଣାଣି କରିବେ
  • ସୁପ୍ରିମକୋର୍ଟ କେନ୍ଦ୍ରକୁ ଜାରି କଲେ ନୋଟିସ

ନୂଆଦିଲ୍ଲୀ: ସବୁ ଧର୍ମର ଯୁବକ ଏବଂ ଯୁବତୀଙ୍କ ବିବାହ ବୟସ ୨୧ ବର୍ଷ କରାଯାଉ। ଏ ନେଇ ପୂର୍ବରୁ  ଦାବି କରାଯାଇଥିଲା। ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ମଧ୍ୟ ଆବେଦନ କରାଯାଇଥିଲା। ସୁପ୍ରିମକୋର୍ଟ ଆବେଦନକୁ ଗ୍ରହଣ କରି କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ସବୁ ଧର୍ମରେ ବିବାହ ବୟସ ସମାନ ରଖିବା ପାଇଁ ହୋଇଥିବା ଏକ ଜନହିତ ଆବେଦନ ଉପରେ ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟ ଶୁଣାଣି କରିବେ।

ଏହି ମାମଲାରେ ରାଜସ୍ଥାନ ଏବଂ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଦାଏର ହୋଇଥିଲା। ତେବେ ଏହି ଆବେଦନକୁ ଉଚ୍ଚତ୍ତମ ନ୍ୟାୟାଳୟକୁ ସ୍ଥାନାନ୍ତର କରିବା ପାଇଁ ଦାବି କରାଯାଇଥିଲା। ଏ ନେଇ କେନ୍ଦ୍ରକୁ ଜବାବ ତଲବ କରାଯାଇଛି। ଏହି ମାମଲାକୁ ନେଇ ଭିନ୍ନ ଭିନ୍ନ ବିଚାର କରିବା ପରି ସ୍ଥିତି ସୃଷ୍ଟି ନ ହେଉ ସେଥିପାଇଁ ସୁପ୍ରିମ୍‌କୋର୍ଟ ଏକକାଳୀନ ଏହାର ଶୁଣାଣି କରିବାକୁ ଚାହୁଁଛନ୍ତି।  ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମାମଲା ଶୁଣାଣି କରି ଏପରି ନୋଟିସ କରିଛନ୍ତି।

ପ୍ରଧାନବିଚାରପତି ଏସ.ଏ.ବୋବଡେ ବରିଷ୍ଠ ଓକିଲ ଗୀତା ଲାଥୁରାଙ୍କ ପ୍ରତିବେଦନ ଉପରେ ଆଲୋଚନା କରିଥିଲେ। କୋର୍ଟ କହିଥିଲେ, ଏ ସଂକ୍ରାନ୍ତ ୨ଟି ଆବେଦନ ହାଇକୋର୍ଟରେ ରହିଛି ଏବଂ ଏହି ପ୍ରସଙ୍ଗ ଉପରେ ଏକ ଅଧିକାରିକ ଆଦେଶ ପାଇଁ  ଶୀର୍ଷ ଅଦାଲତକୁ ସ୍ଥାନାନ୍ତର କରାଯାଇ ପାରିବ । 

ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟଙ୍କ ପକ୍ଷରୁ ଏହି ଆବେଦନ ଦାଏର କରାଯାଇଥିଲା। ଏଥିରେ ଯୁବକ-ଯୁବତୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ କରିବା ପାଇଁ ଦାବି କରାଯାଇଥିଲା। ଅଶ୍ୱିନୀ ଉପାଧ୍ୟାୟଙ୍କର ଏହି ଆବେଦନ ଉପରେ ଅଗଷ୍ଟ ୨୦୧୯ରେ  ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ଏବଂ ଭାରତର ବିଧି ଆୟୋଗଙ୍କୁ ନୋଟିସ ଜାରି କରିଥିଲେ।

ଏହି ମାମଲାରେ ରାଜସ୍ଥାନ ହାଇକୋର୍ଟ କେନ୍ଦ୍ରକୁ ଜବାବ ତଲବ କରିଥିଲେ। ଏହି ଆବେଦନ ଅବ୍‌ଦୁଲ ମନ୍ନାନ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଦାଏର କରାଯାଇଥିଲା।

ଏଠି କହିରଖିବୁ, ଦେଶରେ ବର୍ତ୍ତମାନ ଯୁବତୀଙ୍କ ବିବାହ ବୟସ ସର୍ବନିମ୍ନ ୧୮ ବର୍ଷ ରହିଛି। ସେହିପରି ଯୁବକଙ୍କର ୨୧ ବଷ ରହିଛି। ଏହା ପୂର୍ବରୁ ମଧ୍ୟ ପୁରୁଷ-ମହିଳାଙ୍କ ବିବାହ ବୟସ ସମାନ କରିବା ପାଇଁ ଏକ ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ଜବାବ ମାଗିଥିଲେ।

You might also like