• translate
Sarbeswar

ନୂଆଦିଲ୍ଲୀ: କରୋନା ସ୍ଥିତି ସଙ୍ଗୀନ। ହୁ ହୁ ହୋଇ ବଢୁଛି ସଂକ୍ରମଣ। ବିଶ୍ୱର ଅଧିକାଂଶ ରାଷ୍ଟ୍ର ଏବେ ଏହି ଅଦୃଶ୍ୟ ମହାମାରୀରେ ଜୁଝି ହେଉଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହାରି ମଧ୍ୟରେ ବିଶ୍ୱରେ ୩୦ ଲକ୍ଷ ପାର୍‌ ହେଲାଣି କରୋନା ଜନିତ ମୃତ୍ୟୁସଂଖ୍ୟା। ଆଉ ବିଶ୍ୱରେ ପ୍ରତିଦିନ ପାଖାପାଖି ୧୨ ହଜାର ସଂକ୍ରମିତଙ୍କ ମୁଣ୍ଡ ନେଉଛି ମହାମାରୀ। ଅର୍ଥାତ୍‌ ଗାଣିତିକ ହିସାବ କଲେ ପ୍ରତି ମିନିଟ୍‌ରେ ୮ ଜଣଙ୍କ ମୁଣ୍ଡ ନେଉଛି କରୋନା। ତେବେ ଥରେ ଚିନ୍ତା କରନ୍ତୁ କେଉଁ ପରି ସ୍ଥିତି କଲାଣି କରୋନା। କୁହଯାଉଛି କରୋନାର ମୃତ୍ୟୁ ସଂଖ୍ୟା ସରକାରୀ ହିସାବରେ ଏତିକି ଥିବା ବେଳେ ବେସରକାରୀ ଭାବରେ ଏହା ଢେର୍‌ ଅଧିକ ରହିଛି।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଭାରତ ଓ ବ୍ରାଜିଲ୍‌ରେ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ବିଶ୍ୱରେ କରୋନାରେ ପ୍ରତିମିନିଟ୍‌ରେ ଯେଉଁମାନଙ୍କର ଜୀବନ ଯାଉଛି ସେମାନଙ୍କ ମଧ୍ୟରୁ ଜଣେ ବ୍ରାଜିଲର ନାଗରିକ ରହୁଛନ୍ତି। ଯଦି ଆମ ଦେଶର କଥା କହିବା ତେବେ ଏଠାରେ ମଧ୍ୟ ସମାନ ସ୍ଥିତି ହେଲାଣି। ଭ୍ୟାକ୍ସିନ୍‌ ନେବା ପରେ ବି ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଏବେ ରୋଗୀଙ୍କ ଲାଗି ମେଡିକାଲରେ ବେଡ୍‌ ନାହିଁ କି ସଠିକ୍‌ ଭାବରେ ଚିକିତ୍ସା ସୁବିଧା ମିଳୁନାହିଁ। କେବଳ ସମସ୍ୟା ଏତିକିରେ ସୀମିତ ରହିନାହିଁ ବରଂ ଆମ୍ବୁଲାନ୍ସ ବି ଆଉ ମିଳୁନାହିଁ। କାରଣ ଅନେକ ରୋଗୀ ମେଡିକାଲରେ ଭର୍ତ୍ତି ହୋଇପାରୁନଥିବା କାରଣରୁ ସେହି ଆମ୍ବୁଲାନ୍ସ ମଧ୍ୟରେ ରହି ଚିକିତ୍ସା ହେଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ଏହାସହ ଶ୍ମଶାନରେ ବି ଶବ ଦାହ କରିବାକୁ ଆଉ ଜାଗା ମିଳୁନାହିଁ। ଶବ ସଂସ୍କାର ପାଇଁ ଦେଶର ବଡ଼ ବଡ଼ ଶ୍ମଶାନରେ ପରିବାର ଓ ସଂପର୍କୀୟଙ୍କ ଲମ୍ବା ଲାଇନ୍‌ ଲାଗିଛି।

ତେବେ ଲକଡାଉନ ଖୋଲିବା ପରେ ସଂକ୍ରମଣ କମିଥିଲା। କିନ୍ତୁ ପୁଣି ଥରେ ମାରାତ୍ମକ ଭାଇରସ୍‌ ନିଜ ପଞ୍ଝାରେ ମଣିଷ ସମାଜକୁ କବଳିତ କଲାଣି। ଶନିବାର ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୦ ଲକ୍ଷ ପାର କରିଛି। ଏହି ୧୫ ମାସରେ କରୋନାରେ ଯେତେ ଲୋକଙ୍କ ମୃତ୍ୟୁ ହୋଇଛି ତାହା ଜାମାଇକା ଏବଂ ଆର୍ମେନିଆର ଜନସଂଖ୍ୟାଠାରୁ ଅଧିକ ବୋଲି ସୂଚନା ମିଳିଛି। ଏମିତିକି ଏହା ୧୯୮୦ରୁ ୧୯୮୮ ପର୍ଯ୍ୟନ୍ତ ଚାଲିଥିବା ଇରାନଜ-ଇରାକ ଯୁଦ୍ଧ ମୃତ୍ୟସଂଖ୍ୟା ଠାରୁ ମଧ୍ୟ ଅଧିକ ବୋଲି ଜଣାଯାଏ।

କରୋନାରେ ଆମେରିକା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏ ପର୍ଯ୍ୟନ୍ତ ଆମେରିକାରେ ୩୨,୩୧୦,୬୯୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୫୮୦୦୨୧ ଜଣଙ୍କ ମୃତ୍ୟୁ ହୋଇଛି। ସେଠାକାର ଅନେକ ଗଣମାଧ୍ୟମ କହିଛନ୍ତି ଯେ, ଟ୍ରମ୍ପଙ୍କ ଲାଗି ଆମେରିକାର ସ୍ଥିତି ଗୁରୁତର ହୋଇଛି। କାରଣ ସେ ପ୍ରଥମେ ଏହି ମହାମାରୀକୁ ମାନିନଥିଲେ କି କୌଣସି ପ୍ରତିହତ ବ୍ୟବସ୍ଥା କରିନଥିଲେ। ତେଣୁ ସ୍ଥିତି ଭୟାନକ ହୋଇଛି। ତେବେ  ବର୍ତ୍ତମାନ ସୁଦ୍ଧା ଫ୍ରାନ୍ସରେ ୧୦୦୪୦୪, ଋଷିଆରେ ୧୦୫୧୯୩, ବ୍ରିଟେନରେ ୧୨୭୨୨୫, ତୁର୍କୀରେ ୩୫୨୨୦, ଇଟାଲୀରେ ୧୧୬୩୬୬ ସଂକ୍ରମିତ ପ୍ରାଣ ହରାଇଲେଣି। ତେବେ ଏବେ ବି ଆମେ ଯଦି ସଚେତନ ନହେବା ଆଗାମୀ ଦିନରେ ପୋକ ମାଛି ପରି ମରିବେ ଲୋକେ, ତାହାକୁ କେହି ଏଡ଼ାଇ ଦେଇପାରିବେ ନାହିଁ।

Other Stories