ମେ’ରେ କମିବ ସଂକ୍ରମଣ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଦେଶରେ ସୁସ୍ଥତା ହାର ଅଧିକ ରହିଛି

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେଲାଣି ସଂକ୍ରମଣ। ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା। ଆଉ ଏହାରି ମଧ୍ୟରେ ଆଶ୍ୱସ୍ତକର କଲା ଭଳି ଖବର କେନ୍ଦ୍ର ସରକାର ଦେଇଛନ୍ତି।  କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ଯେ, ଦେଶରେ କରୋନା ସଂକ୍ରମିତଙ୍କ ହାର ବଢ଼ିବା ସହିତ ସୁସ୍ଥତା ହାର ମଧ୍ୟ ଅଧିକ ରହିଛି। ଏହା ସହ କୋଟି କୋଟି ଲୋକ ମେ’ ୧ରୁ ଆରମ୍ଭ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ପଞ୍ଜିକରଣ କରିଥିବା ବିଷୟରେ ସୂଚନା ଦେଇଛନ୍ତି ହର୍ଷ ବର୍ଦ୍ଧନ। ଅଧିକରୁ ଅଧିକ ଟିକା ନେଲେ ସଂକ୍ରମଣ ହାର କମିବ ବୋଲି ସେ କହିଛନ୍ତି।

ତେବେ ଏହାରି ମଧ୍ୟରେ ଦେଶରେ କରୋନା ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଦୈନିକ ସଂକ୍ରମଣ ଓ ଦୈନିକ ମୃତ୍ୟୁ  ଟ୍ରେଣ୍ଡର ସମସ୍ତ ରେକର୍ଡ ଭାଙ୍ଗିଛି କରୋନା । ଦେଶରେ ଦିନକରେ ସର୍ବାଧିକ ଆଜି ୩ ଲକ୍ଷ ୭୯ ହଜାର ୨୫୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦିନକରେ ସର୍ବାଧିକ ୩ ହଜାର ୬୪୫ ଜଣଙ୍କ ମୃତ୍ୟୁ ଘଟିଛି ।

ବର୍ତ୍ତମାନ ଦିଲ୍ଲୀରେ  ୨୪ ଘଣ୍ଟାରେ ୨୫, ୯୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩୬୮ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ୯୯, ୭୫୨ ସଂକ୍ରମିତ ହୋଇ ଥିବାବେଳେ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୨୦, ୪୫୮। ଏବେ ଏଠାରେ ୫୩, ୮୧୬ ଜଣ ଚିକିତ୍ସିତ ହେଉଛନ୍ତି। ଏଠାରେ ମୃତ୍ୟୁ ହାର ୧.୩୯ ରହିଛି।

ସେପଟେ ଅକ୍ସିଜେନ ଅଭାବରୁ ଗତ କିଛିଦିନ ହେବ ଦେଶରେ ଅନେକ ରୋଗୀ ପ୍ରାଣ ହରାଉଥିବା ଘଟଣା ସାମ୍ନାକୁ ଆସିଛି। ଏସବୁ ଭିତରେ ଉତ୍ତରପ୍ରଦେଶରେ ଦୁଇ ଦୁଇଟି ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ଅଭାବରୁ ୧୫ ଜଣ ରୋଗୀଙ୍କ ମୃତ୍ୟୁ ଘଟି ଥିବାବେଳେ ହସ୍ପିଟାଲର ଚତୁର୍ଥ ମହଲାରୁ ଡେଇଁ ଜଣେ କରୋନା ରୋଗୀ ଆତ୍ମହତ୍ୟା କରିଛନ୍ତି।

ଉତ୍ତରପ୍ରଦେଶ ମୋରଦାବାଦ ସ୍ଥିତ ଏକ ପ୍ରାଇଭେଟ ହସ୍ପିଟାଲରେ ୧୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅକ୍ସିଜେନ ଅଭାବରୁ ସେମାନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଖବର ଜଣାପଡିବା ପରେ ମୃତକଙ୍କ ସମ୍ପର୍କୀୟ ହସ୍ପିଟାଲ ପରିସରରେ ପହଞ୍ଚି ହଙ୍ଗାମା କରିଥିଲେ। ଅକ୍ସିଜେନ ଅଭାବରୁ ମୃତ୍ୟୁ ଘଟିଥିବା ମୃତକଙ୍କ ସମ୍ପର୍କୀୟ ଅଭିଯୋଗ ଆଣିଥିବା ବେଳେ ହସ୍ପିଟାଲରେ ଅକ୍ସିଜେନର କୌଣସି ଅଭାବ ନାହିଁ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଗୋଟିଏ ପଟେ ସଂକ୍ରମଣ ବଢୁଥିବାରୁ ଚିନ୍ତାରେ ଅଛନ୍ତି ଦେଶବାସୀ ଆଉ ଏହାରି ମଧ୍ୟରେ ସଂକ୍ରମଣ କମିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ।

You might also like