ପୌରପାଳିକା ଏବଂ ପଞ୍ଚାୟତ ନିର୍ବାଚନରେ ଭାଗ ନେବନି ପିଡିପି

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ହେବାକୁ ଥିବା ପୌରପାଳିକା ନିର୍ବାଚନରେ ଭାଗ ନେବନି ପିଡିପି। ଦଳସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀ ଅାଜି ଏନେଇ ବିଧିବଦ୍ଧ ସୂଚନା ଦେଇଛନ୍ତି। ଧାରା ୩୫(କ)କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଆଗକୁ ନିର୍ବାଚନ ହେବାକୁ ଥିବା ବେଳେ ଏହାକୁ ବୟକଟ୍ କରିବ ଦଳ। ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଅାଯାଇଥିବା ସେ କହିଛନ୍ତି। ଧାରା ୩୫(କ)କୁ ନେଇ ନିଜ ଅାଭିମୁଖ୍ୟ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛି ପିଡିପି। କେନ୍ଦ୍ରକୁ ଏଦିଗରେ ଚାପ ସୃଷ୍ଟି କରାଯିବ ବୋଲି ମେହବୁବା କହିଛନ୍ତି।

ଅନ୍ୟପଟେ ଚଳିତ ମାସ ୫ ତାରିଖରେ ସମାନ ନିଷ୍ପତ୍ତି ନେଇଥିଲା ନ୍ୟାସନାଲ କନ୍ଫରେନ୍ସ। ନିର୍ବାଚନରୁ ନିଜକୁ ଦୂରେଇ ରଖିବ ବୋଲି ଦଳ ସଭାପତି ଫାରୁକ ଅବଦୁଲ୍ଲା ନିଷ୍ପତ୍ତି ନେଇଛନ୍ତି। ତେବେ ପିଡିପିର ଏହି ନିଷ୍ପତ୍ତି ପରେ ବିଜେପିର ଅାଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି। କାଶ୍ମୀରରେ ଧାରା ୩୫(କ)ର ଉଚ୍ଛେଦକୁ ନେଇ ଶୁଣାଣି ଜାରି ରହିଛି। ତେବେ ଏହାକୁ ରାଜ୍ୟର କିଛି ଦଳ ଏବଂ ବିଚ୍ଛନ୍ନତାବାଦୀ ସଂଗଠନ ବିରୋଧ କରିଛନ୍ତି।

You might also like