ଜମ୍ମୁ ଓ କାଶ୍ମୀରରେ ମିଳିତ ସରକାର ଗଠନ ନେଇ ଚର୍ଚ୍ଚା

ଅଣ୍ଟା ଭିଡିଲେ ପିଡିପି, ଏନସି ଓ କଂଗ୍ରେସ

ଜମ୍ମୁ -କାଶ୍ମୀର : ଦୀର୍ଘ ୬ ମାସ ଧରି ରାଜ୍ୟପାଳ ଶାସନରେ ଥିବା ଜମ୍ମୁ ଓ କାଶ୍ମୀରରେ ସରକାର ଗଠନ ପାଇଁ ପ୍ରକ୍ରିୟା ଚାଲିଥିବା ଚର୍ଚ୍ଚା ଜୋର ଧରିଛି। କଟ୍ଟର ବିରୋଧୀ ନେସନାଲ କନଫରେନ୍ସ ଏବଂ ପିପୁଲସ୍‌ ଡେମୋକ୍ରାଟିକ୍‌ ପାର୍ଟି ଏକ ହୋଇ କଂଗ୍ରେସ ସହ ମିଶି ସରକାର ଗଠନ କରିବା ଲାଗି ଯୋଜନା କରୁଛନ୍ତି। ମେହବୁବା ମୁଫତିଙ୍କ ସରକାରରୁ ବିଜେପି ସମର୍ଥନ ପ୍ରତ୍ୟାହାର ପରେ ଜୁନ୍ ୧୯ରୁ ରାଜ୍ୟରେ ରାଜ୍ୟପାଳ ଶାସନ ଚାଲିଛି।

ଡିସେମ୍ବରରେ ରାଜ୍ୟପାଳ ଶାସନ ଅବଧି ୬ ମାସ ପୁରୁଥିବାରୁ, ସରକାର ଗଠନ ଲାଗି ତିନି ଦଳ ଅଣ୍ଟା ଭିଡ଼ିଛନ୍ତି। କଂଗ୍ରେସ ଓ ପିଡିପିରୁ ନେତାଙ୍କୁ ନେଇ ବିଜେପି ସରକାର ଗଠନ କରିବା ଲାଗି ଭିତିରି ଯୋଜନା କରୁଥିବା ଅାଶଙ୍କା କରି ତିନିଦଳ ମେଣ୍ଟ କରିବାକୁ ସହମତି ହୋଇଛନ୍ତି। ଏହା ସମ୍ଭବ ହେଲେ ୨୦୧୯ ପାଇଁ ବିଜେପି ବିରୋଧୀଙ୍କ ପାଇଁ ଏକ ଉଦାହରଣ ହେବ ବୋଲି କୁହାଯାଉଛି। ମେଣ୍ଟ ନେଇ ପରୋକ୍ଷରେ ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଅାଜାଦ।

ତିନି ଦଳ ପକ୍ଷରୁ ପିଡିପି ନେତା ଅଲତାଫ ବୁଖାରି ମୁଖ୍ୟମନ୍ତ୍ରୀ ହେବା ନେଇ ଏକ ପ୍ରକାର ସହମତି ହୋଇଛି। ନିର୍ମଳ ଭାବମୂର୍ତ୍ତିର ଅଲତାଫ ମଧ୍ୟ ଅାଜି ଏନେଇ ନେସନାଲ କନଫରେନ୍ସ ନେତାଙ୍କୁ ଭେଟି ଅାଲୋଚନା କରିଛନ୍ତି। ସେପଟେ ରାଜ୍ୟରେ ମେଣ୍ଟ ଗଠନ କରିବା କଥାକୁ ନେସନାଲ କନଫରେନ୍ସ ଅସ୍ୱୀକାର କରିନାହିଁ। ବରିଷ୍ଠ ନେତା ମୁସ୍ତାଫା କମଲ କହିଛନ୍ତ ଯେ, ପିଡିପିର ମୁଜାଫର ବେଗଙ୍କ ଗତକାଲିର ବୟାନରୁ ଏଭଳି ଏକ ପରିକଳ୍ପନା ଜୋର ଧରିଛି।

୪୦ ମାସ କ୍ଷମତାରେ ରହିବା ପରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେପି, ମେହବୁବା ମୁଫତିଙ୍କ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିଲା। ଯାହାଫଳରେ ୮୭ ଅାସନ ବିଶିଷ୍ଟ ବିଧାନସଭାରେ ପିଡିପି ୨୯ ଜଣ ସଦସ୍ୟଙ୍କୁ ନେଇ ସରକାରରେ ତିଷ୍ଠି ରହିବା ଅସମ୍ଭବ ହେଲା ଓ ମୁଫତି ଇସ୍ତଫା ଦେଲେ ଏବେ କଂଗ୍ରେସର ୧୨ ଜଣ ବିଧାୟକ ଓ ଏନ୍‌ସିର ୧୫ ଜଣ ବିଧାୟକଙ୍କୁ ନେଇ ମେଣ୍ଟ ସରକାର ଗଠନ ପାଇଁ ଯୋଜନା ଚାଲିଛି। ସେପଟେ ବିଜେପି ପାଖରେ ୨୬ଟି ଅାସନ ଥିବାବେଳେ, ଅନ୍ୟ ଦଳରୁ ବିଧାୟକଙ୍କୁ  ଅାଣି ସରକାର ଗଠନ କରିବାକୁ ଯୋଜନା କରୁଛି ଦଳ। ପିପୁଲ୍‌ସ କନଫରେନ୍ସ ଦଳର ମୁଖ୍ୟ ସଜ୍ଜଦ ଗନି ଲୋନଙ୍କୁ ସମର୍ଥନ କରି ସରକାର ଗଠନ ଯୋଜନାରେ ବିଜେପି ଥିବା କୁହାଯାଉଛି। ଗତକାଲି ପିଡିପି ସାଂସଦ ମୁଜାଫର ବେଗ୍ ଦଳ ଛାଡ଼ି ସଜ୍ଜଦ ଲୋନଙ୍କୁ ସମର୍ଥନ କରିବା ଲାଗି ସୂଚନା ଦେଇଥିଲେ। ଏହାପରେ ରାଜ୍ୟରେ ସରକାର ଗଠନ ନେଇ ଚର୍ଚ୍ଚା ଜୋର ଧରିଛି।

You might also like