ଶବ ଉଠାଇଲା ଟଙ୍କା ?

ପାଟନା: ବିଶ୍ୱାସ ହେଉ ନଥିଲେ ବି ସତ। ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ବ୍ୟାଙ୍କରେ ପହଞ୍ଚିଗଲା ମୃତଦେହ।  ଆଶ୍ଚର୍ଯ୍ୟ ଲାଗୁଛି ନା ?  ହେଲେ ଏମିତି ଘଟଣା ଘଟିଛି ବିହାର ପାଟନାରେ। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳର ଜଣେ ମୃତ ବ୍ୟକ୍ତି ନିଜର ଅନ୍ତିମ ସଂସ୍କାର ଲାଗି ବ୍ୟାଙ୍କରେ ପହଞ୍ଚିଥିଲେ। ଏହା ଦେଖି ବ୍ୟାଙ୍କରେ ଉପସ୍ଥିତ ଥିବା ସମସ୍ତ କର୍ମଚାରୀ ଚମକି ପଡିଥିଲେ। ଏପରିକି ବ୍ୟାଙ୍କରେ କିଛି ସମୟ ପାଇଁ ହୋ-ହାଲ୍ଲା ହୋଇଥିବା ଦେଖାଯାଇଥିଲା।  କିନ୍ତୁ ପରେ ପରିସ୍ଥିତିରେ ସୁଧାର ଆସିଥିବା ନେଇ ସୂଚନା ରହିଛି।

ପାଟନାର ଶାହାଜହାଁପୁରର ଘଟଣା । ସ୍ଥାନୀୟ ଅଞ୍ଚଳର ମହେଶ ଯାଦବଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଥିଲା। ପରେ ଅନ୍ତିମ ସଂସ୍କାର ପାଇଁ ଏକାଠି ହୋଇଥିଲେ ଗାଁ ଲୋକେ। କିନ୍ତୁ ଆର୍ଥିକ ସ୍ୱଚ୍ଛଳ ନଥିବା କାରଣରୁ ମହେଶଙ୍କର ଅନ୍ତିମ ସଂସ୍କାର କେମିତି ହେବ ସେନେଇ ଚିନ୍ତାରେ ଥିଲେ ପରିବାର ଲୋକ। ତେବେ ବ୍ୟାଙ୍କରେ ଥିବା ମହେଶଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ଅନ୍ତିମସଂସ୍କାର କରିବାକୁ ଯୋଜନା କଲେ ପରିବାର ଲୋକ। ଯୋଜନା ଅନୁସାରେ, ଗାଁ ଲୋକେ ଟଙ୍କା ଆଣିବାକୁ ବ୍ୟାଙ୍କରେ ପହଞ୍ଚି ମ୍ୟାନେଜରଙ୍କ ସହ କଥା ହେଲେ। କିନ୍ତୁ ମହେଶଙ୍କ ଆକାଉଣ୍ଟରୁ ଟଙ୍କା ଦେବାକୁ ସିଧା ସିଧା ମନା କରିଦେଇ ଥିଲେ ମ୍ୟାନେଜର।

ଗୋଟିଏ ପଟେ ଅନ୍ତିମ ସଂସ୍କାରରେ ବିଳମ୍ବ ହେଉଥିବାବେଳେ ଅନ୍ୟପଟେ କେମିତି ଟଙ୍କା ଯୋଗାଡ ହେବ ସେନେଇ ଚିନ୍ତାରେ ଥିଲେ ପରିବାର ଲୋକ। ଶେଷରେ ଉପାୟଶୂନ୍ୟ ହୋଇ ଶବକୁ କୋକେଇ ସହ ନେଇ ବ୍ୟାଙ୍କ ମଧ୍ୟରେ ପ୍ରବେଶ କରିଥିଲେ ଗାଁ ଲୋକେ। ଘଣ୍ଟାଏ ନୁହେଁ କି ୨ ଘଣ୍ଟା ନୁହେଁ, ପାଖାପାଖି ୩ ଘଣ୍ଟା ବ୍ୟାଙ୍କରେ ରହିଥିଲା ଶବ। ଏପରି ଘଟଣା ଦେଖି ବ୍ୟାଙ୍କ କର୍ମଚାରୀ ମଧ୍ୟ ଡରି ଯାଇଥିଲେ। କ‘ଣ ହେଉଛି କ‘ଣ ନାହିଁ ତାହା କେହି ବୁଝି ପାରିନଥିଲେ।

ବ୍ୟାଙ୍କରେ ଶବ ଥିବା କଥା ଜାଣି ସ୍ଥାନୀୟ ଲୋକଙ୍କ ଭିଡ ବି ଜମିଥିଲା। ସେପଟେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଶେଷରେ ଉପାୟଶୂନ୍ୟ ହୋଇ ବ୍ୟାଙ୍କ ମ୍ୟାନେଜର ନିଜ ପକେଟରୁ ୧୦ ହଜାର ଟଙ୍କା କାଢି ମୃତକଙ୍କ ଗାଁ ଲୋକଙ୍କୁ ଦେଇଥିଲେ। ଟଙ୍କା ପାଇବା ପରେ ହିଁ ଶବକୁ ନେଇ ମଶାଣିରେ ଅନ୍ତିମ ସଂସ୍କାର କରିଥିଲେ ଗାଁ ଲୋକେ।

ଯାହା ବି ହେଉ, ନିୟମ ଅନୁସାରେ ମୃତ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଟଙ୍କା ସେମିତି ଉଠାଇ ଦେଇ ପାରିବେ ନାହିଁ ବ୍ୟାଙ୍କ ମ୍ୟାନେଜର। ଏପଟେ ଟଙ୍କା ନ ଥିଲେ କେମିତି ଅନ୍ତିମ ସଂସ୍କାର କରିବେ ପରିବାର ଲୋକ ? ଉଭୟଙ୍କ ନିଜ ନିଜ ସ୍ଥାନରେ ଠିକ୍‌ ହେଲେ ମଧ୍ୟ ଏମିତି ଏକ ଅଡୁଆ ସ୍ଥିତିରେ ବ୍ୟାଙ୍କ ମ୍ୟାନେଜର ମାନବିକତା ଦେଖାଇ ସହାୟତାର ହାତ ବଢାଇଥିବାରୁ ତାଙ୍କୁ ସମସ୍ତେ  ପ୍ରଶଂସା କରିଛନ୍ତି।

You might also like