୭ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ନୀତିଶ କୁମାର

ପାଟନା: ବିହାର ମଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ କୁମାର। ରାଜ୍ୟପାଳ ଫାଗୁ ଚୌହାନ୍‌ ନୀତିଶ କୁମାରଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ବିହାର ବିଧାନସଭା ନିର୍ବାଚନରେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ NDA ୧୨୫ ସିଟ୍‌ ହାସଲ କରିବା ପରେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିଶ କୁମାର ୭ମ ଥର ପାଇଁ ମୁଖ୍ୟମନ୍ତ୍ରୀ  ହୋଇଛନ୍ତି।

ଏହି ଅବସରରେ ପାଟନା ରାଜଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଗୃହମନ୍ତ୍ରୀ ଅମିତ୍ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏଥର ନୀତୀଶଙ୍କ ଟିମରେ ଦେଖିବାକୁ ମିଳିବ ବିଜେପିର ୨ ଜଣ ଉପମୁଖ୍ୟମନ୍ତ୍ରୀ । ନୂଆ କରି ନିର୍ବାଚିତ ହୋଇଥିବା ବିଜେପି ବିଧାୟକ ଦଳର ନେତା ତାରକିଶୋର ପ୍ରସାଦ ଏବଂ ଉପନେତା ରେଣୁ ଦେବୀ ଉପମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି।

ସୂଚନାଥାଉ କି, ନୀତିଶଙ୍କ ନେତୃତ୍ୱରେ ଜି ୧୫ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ତେବେ ବିଜେପି ନେତା ସୁଶୀଲ କୁମାର ମୋଦିଙ୍କୁ ଏଥର ଦଳ ସରକାରରେ ସାମିଲ କରିନାହିଁ। ଜେଡିୟୁର ବିଜୟ କୁମାର ଚୌଧୁରୀ, ଅଶୋକ ଚୌଧୁରୀ, ମେବାଲାଲ ଚୌଧୁରୀ ଏବଂ ପ୍ରଥମ ଥର ପାଇଁ ବିଧାୟକ ଭାବ ନିର୍ବାଚିତ ହୋଇଥିବା ଶୀଲା କୁମାରୀଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି। ତେବେ  ବିହାର ବିଜେପିର ବରିଷ୍ଠ ନେତା ନନ୍ଦ କିଶୋର ଯାଦବଙ୍କୁ ବିଧାନସଭା ଅଧ୍ୟକ୍ଷ କରାଯାଇ ପାରେ ବୋଲି ଅନୁମାନ କରାଯାଉଛି।

ଆରଜେଡି, କଂଗ୍ରେସ ସମେତ ମହାଗଠବନ୍ଧନ ଏହି ଶପଥ ଗ୍ରହଣ ସମାରୋହକୁ ବର୍ଜନ କରିଛି । ବିହାରର ଜନାଦେଶ ଏନଡିଏ ବିରୋଧରେ ଯାଇଛି ବୋଲି କହିଛନ୍ତି ଆରଜ଼େଡି ନେତା ତେଜସ୍ୱୀ ଯାଦବ ।

ଏଠି କହିରଖିବୁ ବିହାରରେ ଏନଡିଏ ମେଣ୍ଟକୁ ୧୨୫ ଆସିନ ମିଳିଥିବା ବେଳେ ବିରୋଧୀ ମହାମେଣ୍ଟକୁ ୧୧୦ ସିଟ୍‌ ମିଳିଛି। ଭାଜପାକୁ ୭୪  ସିଟ୍‌ ମିଳିଥିବାବେଳେ ଜେଡିୟୁକୁ ୪୩ ସିଟ୍‌ ମଳିଥିଲା। ତେବେ ଆରଜେଡି ସରକାର ଗଠନ କରିବାରେ ସଫଳ ହୋଇନଥିଲେ ହେଁ ୭୫ଟି ଆସନ ପାଇଁ ସବୁଠାରୁ ବଡ ଦଳମାନ୍ୟତା ପାଇଛି। ୨୦୧୫ ନିବାଚନରେ ଆରଜେଡିକୁ ୭୧ ସିଟ୍ ମିଳିଥିଲା।

 

 

You might also like