ଆକାଶରେ ୧ ଘଣ୍ଟା ଚକ୍କର କାଟିଲା ବିମାନ; ୩ ଥର ଫେଲ୍‌ ମାରିଲା ଲ୍ୟାଣ୍ଡିଂ, ଶେଷରେ…

ନୂଆଦିଲ୍ଲୀ: ଅହମଦାବାଦରୁ ଜୈସଲମେର ଅଭିମୁଖେ ଯାତ୍ରା କରୁଥିବା ସ୍ପାଇସ୍‌ଜେଟ୍‌ର ଏକ ବିମାନରେ ଶନିବାର ହଇଚଇ ସୃଷ୍ଟି ହୋଇଥିଲା। କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁ ପାଇଲଟ ବିମାନକୁ ଲ୍ୟାଣ୍ଡିଂ କରିପାରିନଥିଲେ ଓ ପାଖାପାଖି ୧ ଘଣ୍ଟା ବିମାନ ଆକାଶରେ ହିଁ ଉଡ଼ୁଥିଲା। ଜୈସଲମେର ଏୟାରପୋର୍ଟରେ ବିମାନକୁ ଲ୍ୟାଣ୍ଡିଂ‌ କରିବା ପାଇଁ ପାଇଲଟ୍‌ ୩ ଥର ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ।

ବିମାନ ଲ୍ୟାଣ୍ଡିଂ‌ ହୋଇପାରୁନଥିବା ଜଣାପଡ଼ିବା ପରେ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ଏପରିକି କିଛି ଯାତ୍ରୀ କାନ୍ଦିବା ଆରମ୍ଭ କରିଦେଇଥିଲେ ବୋଲି ସୂଚନା ମିଳିଛି। ଶେଷରେ ପାଇଲଟଙ୍କୁ ପୁଣିଥରେ ବିମାନକୁ ଅହମଦାବାଦ ଅଭିମୁଖେ ନେବାକୁ ପଡ଼ିଥିଲା ଓ ସେଠାରେ ଲ୍ୟାଣ୍ଡିଂ‌ କରିବାକୁ ପଡ଼ିଥିଲା।

ଜାତୀୟ ଗଣମାଧ୍ୟମ ‘ଦ ଟାଇମ୍ସ ଅଫ୍‌ ଇଣ୍ଡିଆ’ର ସୂଚନା ଅନୁସାରେ, ସ୍ପାଇଜେଟ୍‌ର ଏହି ବିମାନ ଶନିବାର ଅପରାହ୍ଣ ୧୨ଟା ୫ରେ ଅହମଦାବାଦରୁ ଜୈସଲମେର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଅପରାହ୍ଣ ୧ଟାରେ ବିମାନଟି ଜୈସଲମେରରେ ପହଞ୍ଚିଥିଲା। ହେଲେ ଯାନ୍ତ୍ରିକ ତ୍ରୁଟି ଯୋଗୁ ପାଇଲଟ ବିମାନକୁ ଳ୍ୟାଣ୍ଡିଂ‌ କରିପାରିନଥିଲେ। ଏପରିକି ବିମାନକୁ ଲ୍ୟାଣ୍ଡିଂ ପାଇଁ ପାଇଲଟ୍‌ ୩ ଥର ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ। ବିମାନଟି ଆକାଶରେ ପ୍ରାୟ ୧ ଘଣ୍ଟା ଚକ୍କର କାଟିଥିଲା। ପାଖାପାଖି ଅପରାହ୍ଣ ୨ଟାରେ ଅହମଦାବାଦ ଅଭିମୁଖେ ବିମାନଟି ପୁଣିଥରେ ଯାତ୍ରା କରିଥିଲା ଓ ୨ଟା ୪୦ ମିନିଟ୍‌ରେ ସୁରକ୍ଷିତ ଭାବରେ ଅହମଦାବାଦରେ ଳ୍ୟାଣ୍ଡିଂ କରାଯାଇଥିଲା। ଏହାପରେ ୨ ଘଣ୍ଟା ପରେ ଅନ୍ୟ ପାଇଲଟ ଯାତ୍ରୀଙ୍କୁ ଧରି ଯାତ୍ରା ଆରମ୍ଭ କରିଥିଲେ ଓ ପାଖାପାଖି ସନ୍ଧ୍ୟା ୫ଟା ୧୫ରେ ସୁରକ୍ଷିତ ଭାବେ ଜୈସଲମେର ଲ୍ୟାଣ୍ଡିଂ‌ ହୋଇଥିଲା।

You might also like