ଅକ୍ସିଜେନ ଅଭାବ ରହିବ ବୋଲି ୨୦୨୦ରୁ ଅବଗତ ଥିଲେ କେନ୍ଦ୍ର ସରକାର, ହେଲେ ଗୁରୁତ୍ୱ ଦେଲେନି..

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଡାକ୍ତରଖାନା ଗୁଡ଼ିକରେ ସ୍ଥିତି ସଙ୍ଗୀନ। ଡାକ୍ତରଖାନାରେ କରୋନା ରୋଗୀଙ୍କ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅକ୍ସିଜେନ ସିଲିଣ୍ଡର ଅଭାବ ଥିବା ବଳେ ବେଡ ମଧ୍ୟ ଅଭାବ ରହିଛି। ଲୋକମାନେ ଅକ୍ସିଜେନ ଅଭାବରୁ ପୋକ ମାଛି ଭଳି ଜୀବନ ହାରୁଛନ୍ତି। ତେବେ ଦେଶରେ ଏଭଳି ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଛି ବୋଲି ପୂର୍ବରୁ କେନ୍ଦ୍ର ସରକାର ଜାଣିଥିଲେ।

ସଂସଦର ଏକ ସ୍ଥାୟୀ କମିଟି ଗତବର୍ଷ ନଭେମ୍ବର ମାସରୁ ଏନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରିଥିଲା। ଆଉ ଏଭଳି ପରିସ୍ଥିତିର ମୁକାବିଲା ପାଇଁ ପୂର୍ବରୁ ପ୍ରସ୍ତୁତ ରହିବାକୁ ମଧ୍ୟ ପରାମର୍ଶ ଦେଇଥିଲା। ମେଡିକାଲ ଗୁଡ଼ିକରେ ବେଡ ସଂଖ୍ୟା ବୃଦ୍ଧି କରିବା ସହ ଅକ୍ସିଜେନ ଉତ୍ପାଦନ ବୃଦ୍ଧି କରାଯାଉ ବୋଲି ଏହି ସ୍ଥାୟୀ କମିଟି ସରକାରଙ୍କୁ କହିଥିଲା। କମିଟି ପକ୍ଷରୁ ଆହୁରି କୁହାଯାଇଥିଲା ଯେ, ଅକ୍ସିଜେନ ସିଲିଣ୍ଡରର ମୂଲ୍ୟ ମଧ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଧାରଣ ହେବା ଆବଶ୍ୟକ। ନଚେତ ସିଲିଣ୍ଡର କଳାବଜାରୀ ହେବାର ସମ୍ଭାବନା ରହିଛି। ହେଲେ କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱର ସହ ନେଇ ନଥିବା ଜଣାପଡ଼ୁଛି। ଏହି କମିଟିର ଅଧ୍ୟକ୍ଷ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ରାମ ଗୋପାଳ ଯାଦବ। ଏଥିରେ ବିଜେପିର ୧୬ ଜଣ ସଦସ୍ୟ ସାମିଲ ଅଛନ୍ତି।

କରୋନାର ଦ୍ୱିତୀୟ ଲହରୀରେ ସଂକ୍ରମଣ ବଢ଼ିବା ଆଶଙ୍କା କରି ସରକାରୀ ଡାକ୍ତରଖାନାରେ ବେଡ୍ ସଂଖ୍ୟା ବୃଦ୍ଧି କରାଯାଉ ବୋଲି କମିଟି ପକ୍ଷରୁ କୁହାଯାଇଥିଲା। ସରକାରୀ ହସ୍ପିଟାଲ ଗୁଡ଼ିକରେ ଯେତିକି ପରିମାଣର ବେଡ ରହିଛି ତାହା ପର୍ଯ୍ୟାପ୍ତ ନୁହେଁ। ବେଡ ସଂଖ୍ୟା ବୃଦ୍ଧି କରିବା ସହ ଭେଣ୍ଟିଲେଟର ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଉ ଏବଂ ଦେଶର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଧିକ ନିବେଶ କରାଯାଉ ବୋଲି କମିଟି ପରାମର୍ଶ ଦେଇଥିଲା। ନଚେତ କରୋନା ମହାମାରୀ ସହ ଆମର ଲଢ଼େଇ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏନେଇ ଚେତାବନୀ ଦେଇଥିଲା କମିଟି।

ତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି କେନ୍ଦ୍ର ସରକାର କମିଟିର ଦେଇଥିବା ରିପୋର୍ଟକୁ ଗୁରୁତ୍ୱ ଦେଇନଥିଲେ। ଏବେ ଦେଶରେ ଯେଉଁଭଳି ପରିସ୍ଥିତି ଉପୁଜିଛି ଏଥିପାଇଁ ଦେଶବାସୀ କାହାକୁ ଦାୟୀ କରିବେ ? ଯଦି କେନ୍ଦ୍ର ସରକାରଙ୍କୁ ପୂର୍ବରୁ ସଂସଦର ସ୍ଥାୟୀ କମିଟି ଅକ୍ସିଜେନ ଉତ୍ପାଦନ ବୃଦ୍ଧି ଓ ଡାକ୍ତରଖାନାରେ ବେଡ୍ ସଂଖ୍ୟା ବୃଦ୍ଧି କରିବାକୁ କହିଥିଲା, ସରକାର କାହିଁକି ତାହା କରିନାହାନ୍ତି?

ଦ୍ରୁତ ଗତିରେ ବଢ଼ୁଛି ସଂକ୍ରମଣ

ଭାରତର କରୋନା ସଂକ୍ରମଣ ଥମିବାର ନାଁ ଧରୁନି। କରୋନା ସଂକ୍ରମଣ ମାମଲା ପ୍ରତିଦିନ ଏକ ନୂଆ ରେକର୍ଡ ସୃଷ୍ଟି କରୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩,୪୬,୭୮୬ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୨,୬୨୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦେଶରେ ଏବେ ୨୫,୫୨,୯୪୦ ସକ୍ରିୟ ମାମଲା ରହିଛି।

You might also like