ପାକିସ୍ତାନର ଲଢୁଆ ବିମାନ ଖସାଇଲା ଭାରତ

ସୀମାରେ ଥିବା ବିମାନବନ୍ଦରରେ ହାଇ ଆଲର୍ଟ

ଶ୍ରୀନଗର: ପୁଲୱାମା ଆକ୍ରମଣ ପରେ ଭାରତ, ପାକିସ୍ତାନ ସୀମାରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ଭାରତୀୟ ବାୟୁସେନା ପାକିସ୍ତାନରେ ପଶି ଜୈସ୍ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିବା ପରେ ଏହାର ଆଉ ଏକ ପରାକ୍ରମ ଦେଖିବାକୁ ମିଳିଛି। ଭାରତର ବାୟୁସୀମା ଭିତରକୁ ପଶି ଆସିଥିବା ପାକିସ୍ତାନ ଏୟାର ର୍ଫୋସର F-16 ଲଢୁଆ ବିମାନକୁ ଖସାଇ ଦେଇଛି ଇଣ୍ଡିଆନ୍‌ ଏୟାର୍‌ ଫୋର୍ସ। ଜମ୍ମୁ ଓ କଶ୍ମୀରର ନୌସେନା ସେର ଲାମ୍ ଉପତ୍ୟକାରେ ପିଓକେର ତିନି କିମି ଭିତରକୁ ପଶି ଭାରତ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ତେବେ ବିମାନ ପାଇଲଟଙ୍କ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ଆଜି ସକାଳେ ପାକିସ୍ତାନୀ ଯୁଦ୍ଧବିମାନଗୁଡ଼ିକ ଜମ୍ମୁ ଓ କଶ୍ମୀର ନିୟନ୍ତ୍ରଣରେଖା ନିକଟରେ ଥିବା ରଜୌରୀ ସେକ୍ଟରରେ ଭାରତୀୟ ବାୟୁସୀମାକୁ ପଶି ଆସିଥିଲା। ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ବିମାନଗୁଡ଼ିକୁ ତଡ଼ି ଦିଆଯାଇଥିଲା।

ତେବେ ଏହି ଘଟଣା ପରେ ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦେଶର  ୮ଟି ସୀମାନ୍ତବର୍ତ୍ତୀ ବିମାନ ବନ୍ଦରକୁ ବନ୍ଦ କରିବା ସହିତ ହାଇ ଆଲର୍ଟ ଜାରି କରାଯାଇଛି। ଜମ୍ମୁ, ଶ୍ରୀନଗର, ଲେହ, ଅମୃତସର, ପଠାନକୋଟ, ଶିମଲା, କୁଲୁ-ମନାଲି ଏବଂ କଙ୍ଗରା ବିମାନବନ୍ଦରଗୁଡ଼ିକୁ ୩ ମାସ ପାଇଁ  ବନ୍ଦ କରି ଦିଆଯାଇଥିବା ନେଇ ସରକାରୀ ସ୍ତରରେ ନୋଟ୍ ଜାରି କରାଯାଇଛି।

You might also like